ଏଇ ଭାରତରେ

ମଧ୍ୟପ୍ରଦେଶର ନରସିଂହପୁର ଜିଲା ଅନ୍ତର୍ଗତ ଖମାରିଆ ସରକାରୀ ସ୍କୁଲ୍‌ରେ ଉପଲବ୍ଧ ସୁବିଧା କୌଣସି ଆଗୁଆ ବେସରକାରୀ ସ୍କୁଲ୍‌ଠାରୁ କମ୍‌ ନୁହେର୍ଁ। ଏକ ଛୋଟ ଗାଁରେ ଥିବା ଏହି ସ୍କୁଲ୍‌ ଏବେ ସମ୍ପୂର୍ଣ୍ଣ ଡିଜିଟାଲ ହୋଇପାରିଛି। ଏହି ସ୍କୁଲଟି ମାଟି ଝୋପଡି ଘରେ ଆରମ୍ଭ କରାଯାଇଥିଲା। ପ୍ରଥମେ ଲୋକଙ୍କଠାରୁ ମିଳିଥିବା ୧.୫ ଲକ୍ଷ ଟଙ୍କାରେ ୨୦୧୨ରୁ ସ୍କୁଲ୍‌ର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୨୦୧୩ରେ ସ୍କୁଲ୍‌ କ୍ୟାମ୍ପସ୍‌ରେ ସିସିଟିଭି କ୍ୟାମେରା ଲାଗିଲା। ଏହାପରଠାରୁ ପ୍ରତିବର୍ଷ ସ୍କୁଲ୍‌ରେ ଗୋଟିଏ ଗୋଟିଏ ସୁବିଧା ଯୋଡାଯାଉଛି। ସ୍ମାର୍ଟ କ୍ଲାସ୍‌ ଟେକ୍‌ନୋଲାଜି ମଧ୍ୟ ଆପଣାଯାଇଛି। ଅନିୟମିତ ବିଦ୍ୟୁତ୍‌ସେବା ପାଇଁ ପାଓ୍ବାର ବ୍ୟାକ୍‌ଅପ ରଖାଯାଇଛି। କ୍ୟାରିୟର ଭିତ୍ତିକ କମ୍ପ୍ୟୁଟର, ସ୍ବାସ୍ଥ୍ୟ ଓ ଇଞ୍ଜିନିୟରିଂ କ୍ଲାସ୍‌ର ବ୍ୟବସ୍ଥା ରହିଛି ବୋଲି କୁହନ୍ତି ପ୍ରଧାନଶିକ୍ଷକ ନାରାୟଣ ଗୁପ୍ତା। ପ୍ରଧାନଶିକ୍ଷକ ଗୁପ୍ତା ମଧ୍ୟ ଏହି ସ୍କୁଲର ଛାତ୍ର ଥିଲେ। ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବା ସହ ପରିବେଶ ସୁରକ୍ଷା ଉପରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି । ଏଠାରେ ଏବେ ୩,୧୧୭ ଜଣ ପିଲା ପଢୁଛନ୍ତି। ଖମାରିଆ ସରକାରୀ ସ୍କୁଲ୍‌ର ଆଦର ଏତେ ବଢିଯାଇଛି ଯେ, ଆଖପାଖ ୧୫ଟି ଗାଁରେ କୌଣସି ବେସରକାରୀ ସ୍କୁଲ ଏଯାବତ୍‌ ଖୋଲିନାହିଁ।