ଏଇ ଭାରତରେ

ପୁନର୍ଜନ୍ମକୁ ନେଇ ବିଜ୍ଞାନ ଭିନ୍ନମତ ପୋଷଣ କରୁଥିବା ବେଳେ ଡେରାଡୁନର ଶୁକ୍ଳାପୁରର ଲୋକମାନେ ଏହା ଉପରେ ବିଶ୍ୱାସ ରଖିଛନ୍ତି। ପରିବେଶକୁ ଭାବନାତ୍ମକ ରୂପରେ ଜନମାନସରେ ଯୋଡି ପୁନର୍ଜନ୍ମ ବିଶ୍ୱାସକୁ ଗଛ ଉପରେ ପ୍ରକଟ କରିବାର ନିଆରା ପରମ୍ପରା ଦେଖାଯାଏ ଶୁକ୍ଳାପୁରରେ। ଏମିତିକି ପୁନର୍ଜନ୍ମ ବିଶ୍ୱାସରୁ ଏଠାରେ ‘ପୁନର୍ଜନ୍ମ ସ୍ମୃତିବନ’ ସୃଷ୍ଟି ହୋଇଛି। କାହାର ମୃତ୍ୟୁ ହେଲେ ପରିବାର ଲୋକମାନେ ଗୋଟିଏ ଫଳଦାୟୀ ଗଛ ଲଗାଉଛନ୍ତି। ତା’ ମୂଳରେ ମାଟି ଓ ମୃତବ୍ୟକ୍ତିଙ୍କ ଚିତାଭସ୍ମକୁ ବି ପୋତି ଦେଉଛନ୍ତିି। ଏବେ ଏହି ସ୍ମୃତିବନରେ ୩୨ ଜଣଙ୍କ ‘ପୁନର୍ଜନ୍ମ ବୃକ୍ଷ’ ଶୋଭା ପାଉଛନ୍ତି। ଏଭଳି ବିଶ୍ୱାସ ସୃଷ୍ଟି କରି ପରିବେଶ ସୁରକ୍ଷା କରିବାର ଭିନ୍ନ ପ୍ରୟାସରେ ସଫଳ ହୋଇଛନ୍ତିି ହିମାଳୟ ପରିବେଶ ଅଧ୍ୟୟନ ସଂଗଠନର ମୁଖ୍ୟ ପଦ୍ମଶ୍ରୀ ଡ. ଅନିଲ ପ୍ରକାଶ ଜୋଷୀ। ଉତ୍ତରାଖଣ୍ଡ ଡେରାଡୁନ୍‌ଠାରୁ ୧୬କିମି ଦୂର ଶୁକ୍ଳାପୁର ନିକଟରେ ବହିଯାଉଥିବା ଅସନ ନଦୀକୂଳରେ ଥିବା ଶ୍ମଶାନଘାଟର ନାମ ରଖାଯାଇଛି ପୁନର୍ଜନ୍ମ। ଶୁକ୍ଳାପୁର ଅମ୍ବିବାଲା ଅଞ୍ଚଳର ଲୋକେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ଏହି ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରୁଛନ୍ତି। ଡିସେମ୍ବର ୨୦୧୨ରେ ଏହି ଘାଟରେ ‘ପୁନର୍ଜନ୍ମ ବନ’ ଆରମ୍ଭ କରାଯାଇଥିଲା। ସେବେଠାରୁ ସ୍ବଜନଙ୍କ ମୃତ୍ୟୁ ହେବା ପରେ ଏଠାରେ ଅନ୍ତିମ ସଂସ୍କାର କରିବା ସହ ଲୋକମାନେ ଫଳଦାୟୀ ଗଛ ଲଗାଉଛନ୍ତି ଓ ତା’ ମୂଳରେ ଚିତାଭସ୍ମ ଦେଉଛନ୍ତି। ଗଛର ଯତ୍ନ ମଧ୍ୟ କରୁଛନ୍ତି। ସେହି ଗଛରେ ପ୍ରିୟଜନଙ୍କ ନିକଟରେ ରହିବା ଭଳି ଅନୁଭବ କରୁଛନ୍ତି। ଗଛ ମୂଳରେ ଦିଆଯାଇଥିବା ଚିତାଭସ୍ମ ଗଛକୁ ପୋଷକ ତତ୍ତ୍ୱ ଯୋଗାଇ ବଡ କରେ ଓ ମୃତକଙ୍କ ଆତ୍ମା ମୁକ୍ତିପ୍ରାପ୍ତ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ଡ. ଜୋଷୀ କୁହନ୍ତି, ମୃତ୍ୟୁ ପୂର୍ବରୁ ଆମେ ଅଙ୍ଗଦାନ କରିବାର ନିଷ୍ପତ୍ତି ନେଉଛୁ, ତେବେ କାହିଁକି ଆମେ ଆମ ଅନ୍ତିମ ଅବଶେଷକୁ ବୃକ୍ଷ ରୂପରେ ଏହି ପୃଥିବୀକୁ ଲେଉଟାଇ ଆଣିବାନି। ଜୀବନରେ ଆମେ ପୃଥିବୀରୁ ଯେଉଁ ପାଣି, ପବନ ଓ ଅନ୍ୟ ଉପାଦାନ ଗ୍ରହଣ କରିଛୁ, ତାହାକୁ ଫେରାଇଦେବା ଲାଗି ଏହା ଏକ ସରଳ ଉପାୟ।