ଏଇ ଭାରତରେ

କ୍ଲିନିକ୍‌ ଶବ୍ଦ ଶୁଣିବା ମାତ୍ରେ ଚିକିତ୍ସା ସମ୍ବନ୍ଧିତ ଚିନ୍ତା ତଥା ଧଳା କୋଟ ପିନ୍ଧିଥିବା ଡାକ୍ତରଙ୍କ ଛବି ଆଗକୁ ଆସିଯାଏ। କିନ୍ତୁ ଏହା ଏମିତି ଏକ କ୍ଲିନିକ୍‌, ଯେଉଁଠି କଳା କୋଟ୍‌ ପିନ୍ଧିଥିବା ଓକିଲ ହିଁ ସାମ୍‌ନାକୁ ଆସିଥା’ନ୍ତି। ଏଠାରେ କୌଣସି ଓଷଧ ନୁହେଁ, ବରଂ ମାଗଣାରେ ମିଳୁଛି ଆଇନ ସହାୟତା। ଇନ୍ଦୋର ସହରର ମଧ୍ୟଭାଗରେ ଥିବା ରାଧାନଗର କଲୋନୀରେ ଏହି ଲିଗାଲ କ୍ଲିନିକ୍‌ ଚାଲୁଛି। ଯୁବ ଓକିଲ ତଥା ସିଭିଲ ଜଜ୍‌ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ୪୦ରୁ ଊର୍ଦ୍ଧ୍ୱ ଯୁବକ ଏହାକୁ ଚଳାଉଛନ୍ତି। ୨୦୧୬ ରେ ନ୍ୟାୟାଶ୍ରୟ ସଂସ୍ଥା ଗଠନ କରାଯିବା ପରେ ଲୋକମାନେ ଟଙ୍କା ଅଭାବରୁ ଆଇନ ପରାମର୍ଶ ନେବାକୁ ଅସମର୍ଥ ହେଉଛନ୍ତି ବୋଲି ଜଣାପଡିଥିଲା। ପରେ ନ୍ୟାୟାଶ୍ରୟ ବ୍ୟାନର୍‌ରେ ଏହି କ୍ଲିନିକ୍‌ ଦୁଇମାସ ତଳେ ଆରମ୍ଭ କରାଯାଇଛି। ଏବେ ୧୦୦ରୁ ଅଧିକ ଲୋକଙ୍କୁ ସାହାଯ୍ୟ ମଧ୍ୟ ମିଳିସାରିଲାଣିି। ପ୍ରତି ଶନିବାର ସନ୍ଧ୍ୟାରେ ଏଠାରେ ଗରିବ ଲୋକମାନେ ପହଞ୍ଚୁଛନ୍ତି ଓ ସେମାନଙ୍କୁ ମାଗଣାରେ ଆଇନ ପରାମର୍ଶ ଦିଆଯାଉଛି। ଏହି କ୍ଲିନିକ୍‌ରେ ବରିଷ୍ଠ ଓକିଲମାନେ ବି ସାମିଲ ହୋଇ ଯୁବ ଓକିଲମାନଙ୍କ କାର୍ଯ୍ୟକୁ ତଦାରଖ କରୁଛନ୍ତି।