ଏଇ ଭାରତରେ

ଭୋଟ ଅଧିକାର ଉପରେ ସଚେତନତା ଆଣିବାରେ ଛତିଶଗଡ଼ର ଯୁବକ ପ୍ରେମଲାଲ ସାହୁଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଠେଲାଗାଡିରେ ବିଭିନ୍ନ ସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଛନ୍ତି। ରାଜ୍ୟରେ ଡିସେମ୍ବର ୨୧ରେ ହେବାକୁ ଥିବା ପୌର ନିର୍ବାଚନରେ ଲୋକମାନେ କେମିତି ଅଧିକ ସଂଖ୍ୟାରେ ଭୋଟ ଦେବେ ସେଥିପାଇଁ ନିଜ ଅଞ୍ଚଳରେ ସେ ଏକ ନିଆରା ଘୋଷଣା କରିଛନ୍ତି। ଭୋଟ ଦେବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ବୋଲିି ସେ ଲୋକଙ୍କୁ ନିବେଦନ କରିଛନ୍ତି। ପୌର ନିର୍ବାଚନରେ ଯିଏ ଭୋଟ ଦେଇ କାଳିଲଗା ଅଙ୍ଗୁଳି ଦେଖାଇବେ ତାଙ୍କୁ ଦୋକାନର ସବୁ ଜିନିଷରେ ୨୫ ପ୍ରତିଶତ ରିହାତି ମିଳିବ ବୋଲି ସେ କହିଛନ୍ତି।
ରାୟପୁରରେ ଏନ୍‌ଆଇଟି ସାମ୍‌ନାରେ ଗଜା ବୁଟ, ମୁଗ ଓ ବିଭିନ୍ନ ଫଳରୁ ପ୍ରସ୍ତୁତ ସାଲାଡ ବିକ୍ରି କରୁଛନ୍ତି। ବେମେତରା ଜିଲା ସଦର ମହକୁମାଠାରୁ ପାଖାପାଖି ୨୫ କିଲୋମିଟର ଦୂର ଶ୍ୟାମପୁରକମ୍ପା ଭଳି ଛୋଟ ଗାଁରେ ତାଙ୍କ ଘର। ସାମ୍ବାଦିକତାରେ ପ୍ରେମଲାଲ୍‌ ସ୍ନାତକୋତ୍ତର ହାସଲ କରି ଗଣମାଧ୍ୟମରେ କିଛି ଦିନ କାର୍ଯ୍ୟ କରିବା ପରେ ଏବେ ଏହି ବ୍ୟବସାୟ କରୁଛନ୍ତି। ପ୍ରେମଲାଲ୍‌ ଭାରତୀୟ ସେନାକୁ ନେଇ ଗର୍ବ ଅନୁଭବ କରନ୍ତି। ତାଙ୍କ ଠେଲାଗାଡିରେ ବିକ୍ରି କରୁଥିବା ପ୍ରତିଟି ଜିନିଷ ଯବାନମାନଙ୍କୁ ପୂରା ମାଗଣାରେ ଦେଉଛନ୍ତି।