କନ୍ୟା ସୁରକ୍ଷା ଅଭିଯାନରେ ନିଜକୁ ସାମିଲ କରି ଛତିଶଗଡ଼ର ଏକ ଗାଁ ଭିନ୍ନ ପରିଚୟ ଆଣିପାରିଛି। ଟକମଗଡ଼ ଜିଲାର ହରପୁରା ମଣ୍ଡିଆ ଗାଁରେ ଲୋକମାନେ ଝିଅଙ୍କୁ ବୋଝ ବୋଲି ଭାବନ୍ତିନି। ଝିଅ ଗୋଟିଏ ନୁହେଁ ଦୁଇ ଦୁଇଟି ପରିବାରର ସମ୍ମାନ ବଢାନ୍ତି ବୋଲି ସେମାନେ ବିଚାର କରନ୍ତି। ଏଥିପାଇଁ ଝିଅମାନଙ୍କ ପ୍ରତି ସେମାନଙ୍କର ଏମିତି ଆଦର। କେବଳ ବିଚାରରେ ନୁହେଁ, କାର୍ଯ୍ୟରେ ବି ଗ୍ରାମବାସୀ ଏହାକୁ ଦେଖାଇପାରିଛନ୍ତି। ଯଦି କୌଣସି ପରିବାରରେ ଝିଅଟିଏ ଜନ୍ମ ହୁଏ ତେବେ ଗାଁରେ ଏଥିପାଇଁ ଉତ୍ସବ ପାଳନ କରାଯାଏ। ଗାଁଟା ସାରା ଲୋକେ ସେହି ପରିବାରକୁ ଧନ୍ୟବାଦ ଦେବା ଲାଗି ଲମ୍ବା ଧାଡ଼ି ଲଗାନ୍ତି। ମହିଳାମାନେ ଶୁଭସଙ୍ଗୀତ ଗାଇ ନାଚ କରନ୍ତି। ଟିକମଗଡ଼ ଜିଲାରେ ଲିଙ୍ଗ ଅନୁପାତ ୧୦୦୦ ପୁରୁଷରେ ୯୦୧ ମହିଳା ରହିଥିବାବେଳେ ହରପୁରା ମଣ୍ଡିଆରେ ଏହି ଅନୁପାତରେ ମହିଳା ପୁରୁଷଙ୍କଠାରୁ ଆଗରେ ରହିଛନ୍ତି। ଗାଁର ଜନସଂଖ୍ୟା ମଧ୍ୟରେ ଲିଙ୍ଗ ଅନୁପାତ ୧୦୦୦ ପୁରୁଷରେ ୧୦୯୬ ମହିଳା ରହିଛନ୍ତି। ଏହି ଗାଁରେ ଭ୍ରୂଣର ଲିଙ୍ଗ ପରୀକ୍ଷା ସମ୍ପୂର୍ଣ୍ଣଭାବେ ବାରଣ କରାଯାଇଛି। ଗାଁରେ କୌଣସି ଝିଅର ଯଦି ବାହାଘର କରାଯାଏ ତେବେ ଗ୍ରାମବାସୀଙ୍କ ପରାମର୍ଶ ଲୋଡାଯିବାର ପରମ୍ପରା ରହିଛି। ପୁଅର ପରିବାର ସମ୍ପର୍କରେ ଭଲଭାବେ ବୁଝିବା ପରେ ଝିଅର ବାହାଘର କରାଯାଏ। ଗାଁ ଲୋକମାନେ ଏଥିରେ ସକ୍ରିୟ ସହଯୋଗ କରନ୍ତି।