ଏଇ ଭାରତରେ

ଦେଶରେ ବିଭିନ୍ନ ସଂଗଠନ ତଥା ସାମାଜିକ କର୍ମୀମାନଙ୍କ ଦ୍ୱାରା ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଲାଗି ବିଭିନ୍ନ ଅଭିଯାନ କରାଯାଉଥିବାବେଳେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଏଥିଲାଗି ଏକ ନିଆରା ଉପାୟ ଅପଣାଇଛନ୍ତି। ଗୋଣ୍ଡା ଜିଲାନିବାସୀ ପ୍ରୟାଗଦତ୍ତ ମିଶ୍ର ଜଙ୍ଗଲ ସୁରକ୍ଷା ଲାଗି ସିଧାସଳଖ ଭଗବାନଙ୍କ ସାହାଯ୍ୟ ନେଉଛନ୍ତି। ଗଛ ଗଣ୍ଡିରେ ଭଗବାନଙ୍କ ଛବି ଖୋଦେଇ କରି ସେ ଗଛକଟା ବନ୍ଦ କରିବା ସହ ଏକାକୀ ଏବେ ସୁଦ୍ଧା ଏକ ହଜାରରୁ ଊର୍ଦ୍ଧ୍ୱ ଗଛ ରକ୍ଷା କରିପାରିଛନ୍ତି। ଓ୍ବାଜିରଗଞ୍ଜ ବ୍ଲକ୍‌ର ନଗଓ୍ବା ପଞ୍ଚାୟତର ମୁଖ୍ୟ ପ୍ରୟାଗଦତ୍ତ କୁହନ୍ତି, ପ୍ରଥମ ଥର ସେ ପଞ୍ଚାୟତର ମୁଖ୍ୟ ରହିଥିବାବେଳେ ନଗଓ୍ବା ଗାଁରେ ଅନେକ ଗଛ ଲଗାଯାଇଥିଲା। କିନ୍ତୁ ତାହାକୁ ଗ୍ରାମବାସୀ କାଟିନେଇଥିଲେ। ପରେ ପୁଣି ସେ ଗଛ ଲଗାଇଥିଲେ। ତେବେ ଗଛକଟା ରୋକିବା ଲାଗି ଗଛ ଗଣ୍ଡିରେ ଗଦା, ତ୍ରିଶୂଳ ଓ ହନୁମାନଙ୍କ ଛବି ଖୋଦେଇ କରି ସେଥିରେ ସିନ୍ଦୂର ରଙ୍ଗ ଲଗାଉଛନ୍ତି। ଦେବଦେବୀଙ୍କୁ ଗଛର ରକ୍ଷକ କରିପାରିଛନ୍ତି। ଗ୍ରାମବାସୀ ଏବେ ଗଛ କାଟିବା ବଦଳରେ ତାହାକୁ ପୂଜା କରୁଛନ୍ତି। ମିଶ୍ର ଯୁଆଡେ ଯାଆନ୍ତି ସାଥିରେ ଚିତ୍ର ଆଙ୍କିବା ଲାଗି ଆବଶ୍ୟକ ଉପକରଣ, ରଙ୍ଗ ଓ ବ୍ରଶ୍‌ ରଖିଥାନ୍ତି। ଏଥିପାଇଁ ସେ ଗୋଟିଏ ଗଛରେ ଖର୍ଚ୍ଚ କରୁଛନ୍ତି ୨୦୦ ଟଙ୍କା। ତାଙ୍କ ପକେଟରୁ ଏହା ଖର୍ଚ୍ଚ କରୁଛନ୍ତି। ତାଙ୍କର ଏହି ପ୍ରୟାସ ସଫଳ ହୋଇଛି। ଏବେ ପଞ୍ଚାୟତର ଜନସଂଖ୍ୟା ୮ ହଜାର ରହିଥିବାବେଳେ ଗଛସଂଖ୍ୟା ରହିଛି ୧୦ହଜାର। ଏହି ଉପାୟକୁ ଆଖପାଖ ପଞ୍ଚାୟତର ଗ୍ରାମବାସୀ ଆପଣାଇବାରେ ଲାଗିଛନ୍ତି।