ଏଇ ଭାରତରେ

ଗଣତନ୍ତ୍ର ରାଷ୍ଟ୍ରରେ ଯଦି କେଉଁଠି ତୋଗଲକି କଟକଣା ଲଗାଇବା ଦେଖିବାକୁ ମିଳେ ତାହା ହେଉଛି ହରିୟାଣାର ଖାପ୍‌ ପଞ୍ଚାୟତ। ଭିନ୍ନ ଜାତିରେ ବିବାହ ଓ ପ୍ରେମ ବିବାହକୁ ଏହା ବିରୋଧ କରେ। ଏମିତି କି ଅନର କିଲିଂ ଭଳି ପରିସ୍ଥିତି ସାମ୍‌ନାକୁ ଆସେ। କିନ୍ତୁ ଏବେ ହରିୟାଣାର ଜିନ୍ଦ ଜିଲାର ବରସୋଲା ପଞ୍ଚାୟତ ଏଭଳି ବିବାହକୁ ବିରୋଧ କରିବ ନାହିଁ ବୋଲି ନିଷ୍ପତ୍ତି ନେଇ ସାମାଜିକ ସଂସ୍କାରର ଏକ ନୂଆ ଧାରା ଆରମ୍ଭ କରିଛିି। ଏହି ପଞ୍ଚାୟତର ସବୁ ଗାଁକୁ ଏମିତିକା ବିବାହ କରିବା ପାଇଁ ସବୁଜ ସଙ୍କେତ ଦେଇ ସେମାନଙ୍କୁ ସମର୍ଥନ କରିବା ପାଇଁ ଘୋଷଣା କରିଛି। ଏହି ପଞ୍ଚାୟତର ବରସୋଲା ଗାଁରେ ରହୁଥିବା ଖେଡା ଖାପ ପଞ୍ଚାୟତର ମୁଖ୍ୟ ସତବୀର ପହଲମାନ ଏଭଳିି ଘୋଷଣା କରିଛନ୍ତି। ପ୍ରଥମେ ବରସୋଲା ଗାଁରେ ଏହାକୁ ଲାଗୁ କରାଯାଇଛି। ଜାତିଭେଦ ଦୂର କରିବା ଲାଗି ପ୍ରତ୍ୟେକ ଲୋକ ନିଜ ନାଁ ପରେ ଉପନାମ ଭାବେ ଗାଁ ନାମ ରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଖେଡା ଖାପ ପଞ୍ଚାୟତ ଅଧୀନରେ ଥିବା ୨୪ଟି ଗାଁର ଲୋକମାନେ ଏବେ ପ୍ରେମ ବିବାହ ଓ ଭିନ୍ନ ଜାତିର ବିବାହକୁ ବିରୋଧ କରିବେ ନାହିଁ କି ବାହାଘର କରୁଥିବା ଲୋକମାନଙ୍କୁ ଡ଼ରିବାର କୌଣସି କାରଣ ନାହିଁ ବୋଲି ସତବୀର କହିଛନ୍ତି।