ଏଇ ଭାରତରେ

ମାଓବାଦୀଙ୍କ ପ୍ରଭାବରେ ୨୦୦୫ରୁ ଭିଟାମାଟି ଛାଡି ଆସିଥିବା ୧୧ଟି ପରିବାର ଛତିଶଗଡ଼ ଦାନ୍ତଓ୍ବୋଡାର ଜୁଡୁମପାରା ବସ୍ତିରେ ରହି ଏବେ ମାଓବାଦ ବିରୋଧରେ ଲଢେଇ କରୁଛନ୍ତି। ଏହି ପରିବାରରେ ଜଣେ ଜଣେ ଏସ୍‌ପିଓ (ସ୍ବତନ୍ତ୍ର ପୋଲିସ ଅଧିକାରୀ) ରହିଛନ୍ତି। ଏଣୁ ଏହାକୁ ଏସ୍‌ପିଓ ବସ୍ତି କୁହାଯାଉଛି। ଏଠାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ରହୁଛନ୍ତି। ସାଲଓ୍ବା ଜୁଡୁମ୍‌ (ମାଓବାଦୀଙ୍କ ବିରୋଧରେ ଗ୍ରାମବାସୀଙ୍କ ଆନ୍ଦୋଳନ) ଆରମ୍ଭ ହେବା ପୂର୍ବରୁ ରାତାରାତି ଏମାନେ ଘରଛାଡି ଇନ୍ଦ୍ରାବତୀ ନଦୀ ପାର ହୋଇ ଆସି ଏହି ବସ୍ତିରେ ରହିଛନ୍ତି। ଗାଁରେ ରହୁଥିବା ସରପଞ୍ଚଙ୍କୁ ମାଓବାଦୀମାନେ ପ୍ରାଣଘାତକ ଆକ୍ରମଣ କରିବା ପରେ ତାଙ୍କ ସହ ତାଙ୍କର ସମ୍ପର୍କୀୟମାନେ ଚାଲି ଆସିଥିଲେ। ଏହି ୧୧ଟି ପରିବାର ଆଉ ନିଜ ଗାଁକୁ ଫେରିନାହାନ୍ତି। ପ୍ରତି ପରିବାରକୁ ଗୋଟିଏ କୋଠରି ଯୋଗାଇ ଦିଆଯାଇଛି ଓ ଏଥିରେ ହିଁ ସେମାନେ ରହିବାକୁ ବାଧ୍ୟ ହେଉଛନ୍ତି। ଏମାନଙ୍କ ପାଖରେ ଅଳ୍ପ ଚାଷଜମି ଅଛି। ସାଲଓ୍ବାଜୁଡୁମ୍‌ ଆରମ୍ଭ ହେବା ପରେ ଏମାନେ ପ୍ରଥମେ ସାମ୍‌ନାକୁ ଆସିଥିଲେ ଏବଂ ବସ୍ତିର ଯୁବକମାନଙ୍କୁ ଏସ୍‌ପିଓରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଏହି ୧୧ଟି ପରିବାରରେ ୨୨ ଜଣ ଏସ୍‌ପିଓ ରହିଥିତ୍ଲେ। ସୁପ୍ରିମ୍‌କୋର୍ଟ ସାଲଓ୍ବାଜୁଡୁମ୍‌ ଉପରେ କଟକଣା ଲଗାଇବା ପରେ ସେମାନଙ୍କ ମଧ୍ୟରୁ ୪ ଜଣ ସହାୟକ ଆରକ୍ଷୀ ହୋଇଛନ୍ତି ଓ ଆଉ ୧୮ ଜଣ ସିଟି ପୋଲିସରେ ରହିଛନ୍ତି।