ଶିଖ୍ ଓ ମୁସଲମାନ ସଂଗ୍ରାମର ମୂକସାକ୍ଷୀ ପଞ୍ଜାବର ଫତେଗଡ ସାହିବର ପବିତ୍ର ମାଟିରେ ସାମ୍ପ୍ରଦାୟିକ ସଦ୍ଭାବନାର ଛବି ଦେଖିବାକୁ ମିଳେ। ଏଠାରେ ଗୋଟିଏ ପରିସରରେ ଗୁରୁଦ୍ୱାର ଓ ମସ୍ଜିଦ ରହିଛି। ଏକ ସମୟରେ ଅନେକ ବର୍ଷ ଧରି ସେହି ସ୍ଥାନରେ ମସ୍ଜିଦରେ ଗୁରୁଗ୍ରନ୍ଥ ସାହିବ ବି ରହିଥିଲା। ପରେ ଶ୍ରୀମସ୍ତଗଡ ସାହିବ ନିର୍ମାଣ କରାଯାଇଥିଲା, କିନ୍ତୁ ମସ୍ଜିଦକୁ ସେଠାରୁ ହଟାଇ ଦିଆଯାଇ ନ ଥିଲା। ଏହି ମସ୍ଜିଦ ଶାହାଜାହାନଙ୍କ ସମୟରେ ନିର୍ମାଣ କରାଯାଇଥିଲା। ଏବେ ବି ଶିଖ୍ ସଙ୍ଗତ ମସ୍ଜିଦର ଦେଖାରଖା କରୁଛନ୍ତି। ଗତ ଛଅବର୍ଷ ହେବ ଗ୍ରନ୍ଥି ଜିତ୍ ସିଂ ପ୍ରତିଦିନ ମସ୍ଜିଦକୁ ସଫା କରୁଛନ୍ତି। ମସ୍ଜିଦକୁ କମ୍ ଲୋକ ନମାଜ ପଢିବାକୁ ଆସୁଛନ୍ତି, ତଥାପି ଏହାର ପବିତ୍ରତା ବଜାୟ ରଖିବା ଲାଗି ମରାମତି ଓ ସଫେଇ କରାଯାଉଛି। ବାର୍ଷିକ ଉର୍ସ କିମ୍ବା ଜମାତରେ ମସ୍ଜିଦକୁ ବହୁ ସଂଖ୍ୟାରେ ମୁସଲମାନ ଆସିଥାନ୍ତି। ଦୁଇ ପୀଠ ପଛରେ ଏକ କାହାଣୀ ରହିଛି। ଶିଖ୍ ଧାର୍ମିକ ନେତା ଅଜରୁନ୍ ସିଂ ସୋଦି ଶ୍ରୀ ଗୁରୁଗ୍ରନ୍ଥ ସାହିବକୁ ମସ୍ଜିଦ ଭିତରେ ପ୍ରକାଶ କରି ୧୦୧ଥର ଅଖଣ୍ଡ ପାଠ କରିଥିଲେ। ଏହି ସମାରୋହରେ ଆଖପାଖର ୫୨ ଟି ଗାଁର ସଙ୍ଗତ ସାମିଲ ହୋଇଥିଲେ। ଏହାପରେ ଅନେକ ବର୍ଷ ଧରି ମସ୍ଜିଦକୁ ଗୁରୁଦ୍ୱାର ରୂପରେ ଉପଯୋଗ କରାଯିବା ପରେ ପଟିଆଲାର ତତ୍କାଳୀନ ମହାରାଜାଙ୍କ ସମୟରେ ମସ୍ଜିଦ ପାଖରେ ଗୁରୁଦ୍ୱାର ନିର୍ମାଣ କରାଇଥିଲା। ସେବେଠାରୁ ଏହି ଦୁଇ ପବିତ୍ର ପୀଠ ଭାଇଚାରାର ବାର୍ତ୍ତା ଦେଇଆସୁଛି।