ଏଇ ଭାରତରେ

ତାମିଲନାଡୁ ଥୁଥିକୋଡିର ‘ସୁଶୀଲ କୁମାର ବ୍ୟୁଟି ହେୟାର ସେଲୁନ’ ଦେଶର ସବୁ ସହରରେ ଥିବା ସେଲୁନଠାରୁ ଟିକେ ଭିନ୍ନ। ଗ୍ରାହକମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବାରେ ଏହି ସେଲୁନ୍‌ର ମାଲିକ ପୋନ୍‌ ମେରିଆପ୍ପାନ୍‌ଙ୍କ ଅଭିନବ ପ୍ରୟାସ ଏବେ ଚର୍ଚ୍ଚାରେ। ସେଲୁନ ଭିତରେ ସେ ଥାକରେ ବହି ରଖିଛନ୍ତି। ଯଦି କେହି ତାଙ୍କ ସେଲୁନ୍‌ରେ ବହି ପଢୁଛନ୍ତି ତାଙ୍କୁ ୩୦ ପ୍ରତିଶତ ରିହାତି ଦେଉଛନ୍ତି । ୩୭ ବର୍ଷୀୟ ପୋନ୍‌ ମେରିଆପ୍ପାନ୍‌ ଗ୍ରାହକଙ୍କୁ ସେମାନେ ପଢିଥିବା ବହିରୁ ପ୍ରଶ୍ନ ପଚାରିଥାନ୍ତି ଓ ପଢିଥିବା ବିଷୟରୁ କିଛି ଲେଖିବାକୁ ବି କୁହନ୍ତି। ଏହାପରେ ସେମାନଙ୍କୁ ରିହାତି ଦିଅନ୍ତି। ଏଥିପାଇଁଁ ଜଣେ ଗ୍ରାହକ ସେଲୁନକୁ ପଶିବା କ୍ଷଣି ତାଙ୍କ ମୋବାଇଲ ବନ୍ଦ କରି ବହି ପଢିଥାନ୍ତି। ଯଦି କେହି କଥା ହେବା ଲାଗି ଚାହାନ୍ତି ତେବେ ତାଙ୍କୁ ସେଲୁନ୍‌ ବାହାରକୁ ଯିବାକୁ ପଡିଥାଏ। ଏହି ଉପାୟରେ ସେ ଲୋକମାନଙ୍କୁ ସ୍ମାର୍ଟଫୋନରୁ ଦୂରେଇ ରଖୁଛନ୍ତି। ୬ ବର୍ଷ ପୂର୍ବରୁ ସେ ବୁକ୍‌ଷ୍ଟୋର ଓ ସ୍କାର୍ପ ଡିଲର୍‌ଙ୍କଠାରୁ ବହି ସଂଗ୍ରହ କରିବା ଆରମ୍ଭ କରିଥିଲେ। ଏମିତିକି ତାଙ୍କ ରୋଜଗାରରୁ ଟଙ୍କା ସଞ୍ଚୟ କରି ପ୍ରତିମାସ ଶେଷରେ ବହି କିଣନ୍ତି। ଏବେ ସେ ସେଲୁନ୍‌ରେ ତାମିଲ ଓ ଇଂଲିଶର ୯୦୦ ଖଣ୍ଡ ବହି ରଖିଛନ୍ତି। ୨୦୨୦ ପ୍ରାରମ୍ଭରୁ ସେ ସେଲୁନରୁ ବହି ସ୍କୁଲ ଓ କଲେଜ ପିଲାମାନଙ୍କୁ ଦେବା ଲାଗି ଯୋଜନା କରିଛନ୍ତି। ଅଷ୍ଟମ ଯାଏ ପଢ଼ିଥିବା ପୋନ୍‌ ମେରିଆପ୍ପାନ୍‌ଙ୍କ ଏହି ଉଦ୍ୟମକୁ ବହୁ ବୁଦ୍ଧିଜୀବୀ ତଥା ସେଲିବ୍ରିଟି ପ୍ରଶଂସା କରିଛନ୍ତି।