ଏଇ ଭାରତରେ

ସମାଜରେ କିଛି ଲୋକ ସାମାନ୍ୟ ବିଫଳତାରେ ଭାଙ୍ଗି ପଡୁଥିବାବେଳେ କିଛି ଲୋକ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଥାନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ହିନ୍ଦୁପୁରରେ ଜନ୍ମିତ ଏମ.କେ. ଶ୍ରୀଧର ଜଣେ। ପିଲାବେଳୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ୬୫ ବର୍ଷୀୟ ଶ୍ରୀଧର ଦେଶର ନୂଆ ଶିକ୍ଷାନୀତି ଡ୍ରାଫ୍ଟ କରିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଦିବ୍ୟାଙ୍ଗ ପିଲାଙ୍କ ଲାଗି ଏକ ସଂସ୍ଥା ଗଠନ କରି ସେଠାରେ ସେମାନଙ୍କ ଚିକିତ୍ସା, ଶିକ୍ଷା ଓ ସୁରକ୍ଷାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଠାରେ ପିଲାମାନେ ଷଷ୍ଠରୁ ସ୍ନାତକ ଯାଏ ପଢୁଛନ୍ତି। ସାରା ଦେଶରୁ ଆସି ଏଠାରେ ପଢୁଥିବା ୧୦୦ ଦିବ୍ୟାଙ୍ଗ ପିଲାଙ୍କ ଖର୍ଚ୍ଚ ନିଜେ ଶ୍ରୀଧର ବହନ କରୁଛନ୍ତି। ନୂଆବର୍ଷରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ କରାଯିବ ବୋଲି କହିଛନ୍ତି ଶ୍ରୀଧର। ସେ ଦିବ୍ୟାଙ୍ଗ ହୋଇ ବି ପଢିବା ବେଳେ ସଂଘର୍ଷ କରିଛନ୍ତି। ବେଙ୍ଗାଲୁରୁରେ ସ୍ନାତକୋତ୍ତର ଓ ମହୀଶୂର ବଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରି ସେଠାରେ ସେ ପ୍ରାଧ୍ୟାପକ ହୋଇପାରିଥିଲେ। ସେତେବେଳେ ହ୍ବିଲ୍‌ ଚେୟାର ନ ଥିଲା। ମାଟିରେ ହାତ ଭରା ଦେଇ ସେ ଚାଲୁଥିଲେ। ସ୍କୁଲରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଯାଏ ତାଙ୍କୁ ଏମିତି ପଢିବାକୁ ହୋଇଛି। ପ୍ରତିଦିନ ସେ ୪୦ ଜଣ ଲୋକଙ୍କ ସହ କଥା ହୋଇ ସେ ୪ ଲକ୍ଷ ପ୍ରସ୍ତାବ ସଂଗ୍ରହ କରିପାରିଥିଲେ, ଯାହା ତାଙ୍କୁ ନୂଆ ଶିକ୍ଷା ନୀତି ଡ୍ରାଫ୍ଟ କରିବାରେ ସହାୟକ ହୋଇଥିଲା।