ଏଇ ଭାରତରେ

‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ୍‌ର ଗଭୀରତାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ରାଜସ୍ଥାନର କୃଷକ ବବ୍‌ଲୁ ଚୌଧୁରୀ। ଏହାର ଗୁରୁତ୍ୱକୁ ସେ ସାଧାରଣରେ ପ୍ରତିପାଦିତ କରିଛନ୍ତି। କ୍ରମାଗତ ଭାବେ ଚାଷରେ କ୍ଷତି ସହି ଆସୁଥିଲେ ବି ବବ୍‌ଲୁ ଏଥର ପିଆଜ ଚାଷରୁ ଲାଭ କରି ଗରିବଙ୍କୁ ପିଆଜ ମାଗଣାରେ ଦେବା ସହ ଓ ଗୋଶାଳାକୁ ଲକ୍ଷାଧିକ ଟଙ୍କା ଦାନ କରିଛନ୍ତି। ଦେଶରେ ପିଆଜ ଦର ଆକାଶଛୁଆଁ ହୋଇଥିବାବେଳେ ପିଆଜ ବିକି ସେ ୩ ଲକ୍ଷ ଟଙ୍କା ଗୋଶାଳାକୁ ଦାନ କରିଛନ୍ତି। କେବଳ ଏତିକି ନୁହେଁ, ମସ୍ତାବାଦ ଗାଁର ଏହି କୃଷକ ଗରିବଙ୍କୁ ୫୦ କିଲୋ ପିଆଜ ମଧ୍ୟ ମାଗଣାରେ ବାଣ୍ଟିଛନ୍ତି। ପୂର୍ବ ବର୍ଷ ପିଆଜ ଉପତ୍ାଦନ ଭଲ ରହିଥିଲା ଓ କେଜି ପିଛା ୧ରୁ ୨ ଟଙ୍କା ଭାଉରେ ବିକିବାକୁ ପଡିଥିଲା। ଏମିତି ପରିସ୍ଥିତି ହୋଇଥିଲା ଯେ, ଚାଷୀମାନେ ରାସ୍ତାରେ ପିଆଜ ଫିଙ୍ଗି ଦେଇଥିଲେ। କ୍ଷତି ସହି ବହୁ ଚାଷୀ ପିଆଜ ଚାଷ ଛାଡି ଦେଇଥିବାବେଳେ ବବ୍‌ଲୁ କିନ୍ତୁ ଭାଙ୍ଗିପଡ଼ି ନ ଥିଲେ। ସବୁ ବର୍ଷ ସମାନ ଯାଏ ନାହିଁ। ସେ ଏ ବର୍ଷ ପିଆଜ ଚାଷ କରି ଭଲ ଅମଳ ସହ ଭଲ ଲାଭ କରିଛନ୍ତି। ଏହା ମାଧ୍ୟମରେ ‘ଚାଷୀ କେବେ ହାରେନା’ ଏହି ବାର୍ତ୍ତା ଦେବା ସହ ଲାଭ ଟଙ୍କାରୁ ଗୋଶାଳାକୁ ଦାନ କରି ଏବେ ଚର୍ଚ୍ଚାରେ ରହିଛନ୍ତି ବବ୍‌ଲୁ। ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ରାମଗଡ଼ ମଣ୍ଡିର ବ୍ୟବସାୟୀ ଜିତେନ୍ଦ୍ର ସୋନି ଓ ସୌରଭ କାଲରା ମଧ୍ୟ ଗୋଶାଳାକୁ ୨ ଲକ୍ଷ ଟଙ୍କା ଦାନ ଦେଇଛନ୍ତି।