ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସମଗ୍ର ଦେଶରେ ବିଭିନ୍ନ ଯୋଜନା କରାଯାଉଛି। ଏହି ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତା’ର ବାସ୍ତବତାକୁ ପଦାକୁ ଆଣିଛି ହିମାଚଳ ପ୍ରଦେଶର ଏକ ସ୍କୁଲ୍‌। କେଉଁଠି ଅନେକ ଶ୍ରେଣୀ ଲାଗି ଜଣେ ଶିକ୍ଷକ ରହୁଥିବାବେଳେ ଏହି ସ୍କୁଲ୍‌ରେ ସବୁ ଶ୍ରେଣୀ ପାଇଁ ଗୋଟିଏ ମାତ୍ର କୋଠରି ରହିଛି। ବରୋଟ ଜିଲା ଚୌହର ଘାଟିର ତରସ୍ବାନ ପଞ୍ଚାୟତସ୍ଥିତ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବେ ଗୋଟିଏ ଛୋଟ କୋଠରିରେ ଚାଲିଛି। ଏଥିରେ ସ୍କୁଲ୍‌ର ସବୁକାର୍ଯ୍ୟ ଚାଲୁଛି। ଏହା ଭିତରେ ପିଲାଙ୍କ ରୋଷେଇ ହେଉଛି। ଶିକ୍ଷକମାନେ ବସୁଛନ୍ତି ଓ ୪୫ ଜଣ ପିଲା ବି ପଢୁଛନ୍ତି। ୨୦୧୩ରେ ଏହି ସ୍କୁଲ୍‌ ଖୋଲାଯାଇଥିଲା। ସବୁ ଶ୍ରେଣୀ ଲାଗି ଶିକ୍ଷକ ନିଯୁକ୍ତି କରାଯାଇଥିଲେ ମଧ୍ୟ ଏଯାବତ୍‌ ଏକ ବଖୁରିଆ ସ୍କୁଲ ହୋଇରହିଛି। କେବଳ ଏହି ସ୍କୁଲ୍‌ ନୁହେଁ, ରାଜ୍ୟରେ ମୋଟ ୧୯୬୯ଟି ମିଡ୍‌ଲ ସ୍କୁଲ୍‌ ମଧ୍ୟରୁ ୨୬୩ଟି ସ୍କୁଲ୍‌ ଗୋଟିଏ କୋଠରିରେ ଚାଲିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୪ଟି ସ୍କୁଲ୍‌ ବିନା କ୍ଲାସ୍‌ ରୁମ୍‌ରେ ଚାଲିଛି। ସ୍କୁଲ୍‌ ପରିଚାଳନା କମିଟିର ସଦସ୍ୟମାନେ ସ୍ଥାନୀୟ ବିଧାୟକ ଓ ଶିକ୍ଷା ବିଭାଗ ନିକଟରେ ପିଲାଙ୍କ ସୁବିଧା ପାଇଁ ଅଧିକ କଠୋରି ନିର୍ମାଣ କରିବାକୁ ଦାବି କରିଛନ୍ତି।