ଏଇ ଭାରତରେ

ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ଭୋଟର ମତଦାନ କରି ନିଜ ପସନ୍ଦର ଲୋକ ପ୍ରତିନିଧି ବାଛିବା ଆବଶ୍ୟକ। କିନ୍ତୁ ଦେଖାଯାଉଛି ପ୍ରାୟ ୭୦ ପ୍ରତିଶତ ଭୋଟର ମତଦାନ କରୁଥିବାବେଳେ ଅନ୍ୟମାନେ ଭୋଟଦାନରୁ ବିରତ ରହୁଛନ୍ତି। ଏହା ପଛରେ ଭିନ୍ନ ଭିନ୍ନ କାରଣ ଥାଇପାରେ। କିନ୍ତୁ ନିର୍ବାଚନରେ ମତଦାନ ପାଇଁ ହିମାଚଳ ପ୍ରଦେଶର ସୋଲନ ଜିଲାର ଭାଗ ସିଂ ଚନ୍ଦେଲ ବାହାଘର ନିମନ୍ତ୍ରଣପତ୍ର ମାଧ୍ୟମରେ ଅତିଥିମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି। ମେ ୧୯ରେ ତାଙ୍କ ଝିଅର ବାହାଘର ହେଉଛି। ଏଥିପାଇଁ ସେ ନିମନ୍ତ୍ରଣପତ୍ର ଦେଇ ଅତିଥିମାନଙ୍କୁ ବିବାହରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ହେଲେ ସେ ନିମନ୍ତ୍ରଣପତ୍ରରେ ଏକ ବାର୍ତ୍ତା ଲେଖିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ବାର୍ତ୍ତାଟି ହେଉଛି ୧୯ ତାରିଖରେ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ତେଣୁ ଅତିଥିମାନେ ପ୍ରଥମେ ମତଦାନ କରି ପରେ ବିବାହରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି। ନିମନ୍ତ୍ରଣ ପତ୍ର ଖୋଲୁ ଖୋଲୁ ଏହି ବାର୍ତ୍ତା ଦେଖିବାକୁ ମିଳୁଛି। ଭାଗ ସିଂ ନିଜେ ମଧ୍ୟ କହିଛନ୍ତି, ବିବାହ ଦିନ ପ୍ରଥମେ ସେ ତାଙ୍କ ପୈତୃକ ଗ୍ରାମ ଯାଇ ଭୋଟ ଦେଇ ଆସିବା ପରେ କନ୍ୟାଦାନ କରିବେ। ଅଧିକ ସଂଖ୍ୟାରେ ମତଦାନ କରିବାକୁ ସେ ତାଙ୍କ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଅତିଥିମାନଙ୍କୁ ପ୍ରୋତ୍ସାହନ ଦେଇଥିବାରୁ ଭାଗ ସିଂଙ୍କ ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।