ଏଇ ଭାରତରେ

ଦୁଇ ମହଲା ବିଶିଷ୍ଟ କୋଠାର ୪ଟି ରୁମ୍‌ରେ ଚାଲିଛି ସ୍କୁଲ୍‌, କିନ୍ତୁ ପଢୁଛି ଜଣେ ପିଲା। ଆହୁରି ରୋଚକ କଥା ହେଉଛି ଏହି ପିଲାକୁ ପଢାଇବା ଲାଗି ରହିଛନ୍ତି ଦୁଇ ଜଣ ଶିକ୍ଷକ। ବିହାରର ଗୟାଠାରୁ ୨୦ କିଲୋମିଟର ଦୂର ଜାତୀୟ ରାଜପଥ-୮୩ କଡ଼ରେ ମନସା ବିଘାସ୍ଥିତ ପ୍ରାଥମିକ ସ୍କୁଲ୍‌କୁ ନିୟମିତ ଆସୁଥିବା ଛାତ୍ରୀ ଜଣକ ହେଉଛନ୍ତି ଜାହ୍ନବୀ। ସେ ପ୍ରଥମ ଶ୍ରେଣୀରେ ପଢୁଛି। ଜାହ୍ନବୀକୁ ପଢାଇବା ପାଇଁ ସ୍କୁଲରେ ୨ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ମଧ୍ୟାହ୍ନଭୋଜନ ଲାଗି ରୋଷେୟା ବି ଭୋଜନ ପ୍ରସ୍ତୁତ କରୁଛନ୍ତି। ମନସା ବିଘା ବସ୍ତିରେ ୩୫ଟି ପରିବାର ରହୁଛନ୍ତି। କିନ୍ତୁ ଅଭିଭାବକମାନେ ସରକାରୀ ସ୍କୁଲ୍‌କୁ ପିଲାମାନଙ୍କୁ ନ ପଠାଇ ଘରୋଇ ସ୍କୁଲ୍‌ରେ ପିଲାଙ୍କ ନାମ ଲେଖାଉଛନ୍ତି। ସ୍କୁଲ୍‌ର ପ୍ରଧାନଶିକ୍ଷକ ସତ୍ୟେନ୍ଦ୍ର ପ୍ରସାଦ ଓ ଶିକ୍ଷୟିତ୍ରୀ ପ୍ରିୟଙ୍କା କୁମାରୀ ନିୟମିତ ସ୍କୁଲ୍‌କୁ ଆସି ଜାହ୍ନବୀକୁ ପଢ଼ାଉଛନ୍ତି। ଏହି ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀଯାଏ ରହିଛି। ପ୍ରଥମ ଓ ପଞ୍ଚମ ଶ୍ରେଣୀରେ ଦୁଇ ଜଣ ଲେଖାଏ, ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ୪ ଜଣ ଲେଖାଏ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ କେହି ନାମ ଲେଖାଇନାହାନ୍ତି। ଏହି ବିଦ୍ୟାଳୟ ପାଖରେ କୌଣସି ସ୍କୁଲରେ ଏହିି ସ୍କୁଲକୁ ମିଶାଇ ଦିଆଯବା ଲାଗି ପ୍ରସ୍ତାବ ଦିଆଯାଇଥିଲେ ବି ଏଯାବତ୍‌ ତାହା କାର୍ଯ୍ୟକାରୀ ହୋଇନାହିଁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।