ଏଇ ଭାରତରେ

ନିଜେ ପଢୁଛନ୍ତି, କିନ୍ତୁ ଟ୍ୟୁଶନରୁ ରୋଜଗାର କରି ବୁଲାକୁକୁରଙ୍କ ସେବା କରୁଛନ୍ତି ଜଣେ ଛାତ୍ରୀ। ହରିୟାଣାର ସୋନିପତ ଅଞ୍ଚଳରେ ରହୁଥିବା ଇଞ୍ଜିନିୟରିଂ ଛାତ୍ରୀ ଶେନ ଆରୋରା ବୁଲା କୁକୁରଙ୍କ ସାହାରା ପାଲଟିଛନ୍ତି। କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି, ରୋଗରେ ପଡିଲେ ଔଷଧ ଦେଉଛନ୍ତି। କୁକୁରମାନେ ରହିବା ଲାଗି ଏକ ଘର ମଧ୍ୟ ନିର୍ମାଣ କରିଛନ୍ତି। ସେହି ଘରେ ରହୁଥିବା ୬୫ଟି ବୁଲା କୁକୁରଙ୍କ ଯତ୍ନ ନେଉଛନ୍ତି। ପ୍ରବଳ ଥଣ୍ଡାରୁ ରକ୍ଷା କରିବା ପାଇଁ କୁକୁରଙ୍କୁ କମ୍ବଳ ଘୋଡାଇ ଦେଉଛନ୍ତି ଓ ଆବଶ୍ୟକ ପଡିଲେ ସେମାନଙ୍କ ପାଖରେ ନିଆଁ ଜାଳିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଶେନଙ୍କ ଏହି କାର୍ଯ୍ୟରେ ପ୍ରଭାବିତ ହୋଇ ସହରରେ ୫୦ରୁ ଊଦ୍ଧ୍ୱର୍ର୍ ଛାତ୍ର ସେମାନଙ୍କ ଗଳିରେ ଗୋଟିଏ ଗୋଟିଏ କୁକୁରର ଦାୟିତ୍ୱ ନେଇଛନ୍ତି। ୪ ବର୍ଷ ହେବ ଶେନ କୁକୁରଙ୍କ ସେବାରେ ଲାଗିଛନ୍ତି। ପ୍ରଥମେ ତାଙ୍କ ପାଖରେ ଗୋଟିଏ କୁକୁର ଥିଲା। ପରେ ସେ ଆଉ ୧୦ରୁ ୧୨ଟି କୁକୁରଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଘରେ ରୋଷେଇ କରି କୁକୁରଙ୍କୁ ଭାତ, ତରକାରି ଓ କ୍ଷୀର ଖାଇବାକୁ ଦେଉଛନ୍ତି। ଏହା ସହ କୌଣସି କୁକୁର ରୋଗରେ ପଡିଲେ ତା’ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରୁଛନ୍ତି। ପ୍ରତି ମାସରେ ସେ ଏ ବାବଦରେ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଅର୍ଥ ଯୋଗାଡ କରିବା ପାଇଁ ସେ ତାଙ୍କ ଘରେ ଦିନକୁ ତିନିବେଳା ଟ୍ୟୁଶନ କରୁଛନ୍ତି। ଶେନଙ୍କୁ ଏହି ସେବା ଲାଗି ପରିବାରର ସହଯୋଗ ମଧ୍ୟ ମିଳୁଛି। ଶେନଙ୍କ ମା’ ଜଣେ ଅଧ୍ୟାପିକା ଓ ପିତା ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି।