ଏଇ ଭାରତରେ

ଜାତିବାଦରୁ ଉପରକୁ ଉଠି ଜଣେ ମୁସଲମାନ ଯୁବକ ନିଃସ୍ବାର୍ଥ ସେବା କରି ଯୁବପିଢିଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ହେଉଛନ୍ତି ଉତ୍ତରପ୍ରଦେଶର ସୁଲତାନପୁରନିବାସୀ ଅବଦୁଲ ହକ୍‌। ସେ ଅଚିହ୍ନା ଶବର ଅନ୍ତିମ ସଂସ୍କାର କରୁଛନ୍ତି। ଭାରତୀୟ ନାଗରିକଙ୍କୁ ହକ୍‌ ବିଦେଶରୁ ଫେରାଇ ଆଣିବାରେ ସରକାର ଓ ଗରିବ ଲୋକମାନଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରୁଛନ୍ତି। ଯେଉଁମାନଙ୍କର ବିଦେଶରେ ମୃତ୍ୟୁ ଘଟୁଛି ସେମାନଙ୍କ ମୃତଦେହ ସ୍ବଦେଶ ଫେରାଇ ଆଣିବାରେ ପରିବାରକୁ ସେ ସହଯୋଗ କରୁଛନ୍ତି। ୪ ବର୍ଷ ମଧ୍ୟରେ ଏବେ ସୁଦ୍ଧା ଅବଦୁଲ ୬ରୁ ଅଧିକ ମୃତଦେହ ବିଦେଶରୁ ଆଣିସାରିଲେଣି। ବିଦେଶରେ ବନ୍ଦୀ ୨୫ ଯୁବକଙ୍କୁ ଉଦ୍ଧାର କରିବାରେ ବି ସେ ପ୍ରମୁଖ ଭୂମିକା ନେଇଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରୁ ତାଙ୍କ ପାଖକୁ ସାହାଯ୍ୟ ପାଇବା ଲାଗି କଲ୍‌ ଆସୁଛି। ଦଲାଲମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପରିଚୟ ନ ଥାଇ ରୋଜଗାର ଆଶାରେ ବିଦେଶ ଯାଇ ସେଠାରେ ଜେଲ୍‌ରେ ଯନ୍ତ୍ରଣା ପାଉଥିବା ଲୋକଙ୍କୁ, ଦୁର୍ଘଟଣାରେ ମୃତ୍ୟୁ ଘଟୁଥିବା କିମ୍ବା ହତ୍ୟାର ଶିକାର ହେଉଥିବା ଲୋକଙ୍କ ମୃତଦେହକୁ ଦେଶକୁ ଫେରାଇ ଆଣିବାରେ ସାହାଯ୍ୟ କରୁଛନ୍ତି। ପ୍ରଥମେ ୨୦୧୬ରେ କୋତବାଲି ସରାୟକଲ୍ୟାଣ ନିବାସୀ ଦଳିତ ବର୍ଗର ବ୍ୟକ୍ତି ରୁପିଙ୍କ ମୃତଦେହ ସୌଦି ଆରବରୁ କିଭଳି ଆସିପାରିବ ସେଥିଲାଗି ତାଙ୍କ ପରିବାର ସହ କଥା ହୋଇ ରୁପିଙ୍କ ପୁଅଙ୍କୁ ନେଇ ସେତେବେଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ଯୋଗାଯୋଗ କରିବା ପରେ ମୃତଦେହକୁ ସେଠାରୁ ଆଣିଥିଲେ। ୨୦୧୮ରେ ସୌଦି ଆରବର ରିୟାଧ ସହରରୁ ଅର୍ଥାଭାବରୁ ଘରକୁ ଫେରିପାରୁ ନ ଥିବା ମହମ୍ମଦ ଏର୍‌ସାଦଙ୍କୁ ଫେରାଇ ଆଣିବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କର ଏହି କାର୍ଯ୍ୟକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି।