ଏଇ ଭାରତରେ

ଗୁଜରାଟର ଅମରେଲି ଜିଲାନିବାସୀ ଜଣେ ମୁସଲମାନ ଓ ତାଙ୍କ ବନ୍ଧୁମାନେ ସାମ୍ପ୍ରଦାୟିକ ସଦ୍‌ଭାବନାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଜଣେ ହିନ୍ଦୁ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମକର ସଂକ୍ରାନ୍ତିରେ ଗୋସେବା କରିଛନ୍ତି। ଜମରେଲିର ସାବରକୁଣ୍ଡଳାରେ ବସିର ଝାଙ୍ଖରା ଓ କସ୍‌ବେ ତାଙ୍କ ବ୍ରାହ୍ମଣ ବନ୍ଧୁ ନିଲେଶଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗାଈମାନଙ୍କୁ ଘାସ ଖୁଆଇଛନ୍ତି। ସେମାନେ କ୍ଷେତରୁ ୬୫୦କେଜି ଘାସ କାଟି ଆଣି ସେହି ଅଞ୍ଚଳର ସବୁ ଗାଈକୁ ଖାଇବାକୁ ଦେଇଛନ୍ତି। ବସିରଙ୍କ ବନ୍ଧୁ ନିଲେଶ ମେହେଟାଙ୍କର କିଛିଦିନ ପୂର୍ବରୁ ମୃତ୍ୟୁ ଘଟିଥିଲା। ବସିର ନିଲେଶଙ୍କୁ ଭାଇ ଭଳି ଦେଖୁଥିଲେ। ଶ୍ରଦ୍ଧାଞ୍ଜଳି ଦେବା ଲାଗି ବସିର ବଜାରରୁ ଘାସ କିଣି ନାହାନ୍ତି, ବରଂ ତାଙ୍କର ୬ ବିଘା ଜମିରୁ ୩ ବିଘାରେ ଘାସଚାଷ କରି ଗାଈମାନଙ୍କୁ ଖୁଆଇଛନ୍ତି। ଏମିତି କି କ୍ଷେତରୁ ଘାସ କାଟିବା ପାଇଁ କୌଣସି ଶ୍ରମିକଙ୍କୁ କାର୍ଯ୍ୟରେ ନ ଲଗାଇ ନିଜେ କାଟିଛନ୍ତି। ବସିରଙ୍କୁ ତାଙ୍କର ୫ ଜଣ ସାଙ୍ଗ ଏଥିରେ ସହଯୋଗ କରିଛନ୍ତି।