ଏଇ ଭାରତରେ

ନାଗରିକତ୍ୱ ସଂଶୋଧନ ଆଇନ୍‌କୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲୁଥିବାବେଳେ ଉତ୍ତରପ୍ରଦେଶ ଗୋଣ୍ଡା ଜିଲାର ଓ୍ବଜିରଗଞ୍ଜ ହିନ୍ଦୁ-ମୁସଲମାନ ଏକତାର ଏକ ଅଧ୍ୟାୟ ଲେଖିଚାଲିଛି। ଓ୍ବଜିରଗଞ୍ଜ ବ୍ଲକର ରସୁଲପୁରସ୍ଥିତ ଏକ ମଦ୍ରାସାରେ ଉଭୟ ହିନ୍ଦୁ ଓ ମୁସଲମାନ ପିଲା ପଢୁଛନ୍ତି। ସେଠାକାର ମୁସଲମାନ ବୁଦ୍ଧଜୀବୀମାନେ ସମାଜର ବିକାଶ ପାଇଁ ମଦ୍ରାସାରେ ଧର୍ମନିରପେକ୍ଷ ଭିତ୍ତିରେ ଶିକ୍ଷା ପ୍ରଦାନ କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରି ଆରମ୍ଭ କରିଥିଲେ ଏଭଳି ବ୍ୟବସ୍ଥା। ଏହାର ନାମ ଗୁଲ୍‌ଶନ-ଇ-ବାଗଦାଦ୍‌। ଏଠାରେ ମୁସଲ୍‌ମାନ ଛାତ୍ର ସଂସ୍କୃତ ପଢୁଛନ୍ତି ଓ ହିନ୍ଦୁ ଛାତ୍ର ପଢୁଛନ୍ତି ଉର୍ଦ୍ଦୁ। ଏହି ମଦ୍ରାସାର ୨୩୦ ଜଣ ଛାତ୍ରଙ୍କ ମଧ୍ୟରେ ଅଛନ୍ତି ୩୦ ଜଣ ହିନ୍ଦୁ ଛାତ୍ର। ଏମାନଙ୍କ ମଧ୍ୟରୁ ଅଧିକାଂଶ ଉର୍ଦ୍ଦୁ ପଢୁଥିବାବେଳେ ୫୦ ଜଣ ମୁସଲମାନ ଛାତ୍ର ପଢୁଛନ୍ତି ସଂସ୍କୃତ। ଅନେକ ମୁସଲମାନ ଛାତ୍ର ଉଭୟ ସଂସ୍କୃତ ଓ ଉର୍ଦ୍ଦୁ ପଢୁଛନ୍ତି। ଉର୍ଦ୍ଦୁ ଓ ସଂସ୍କୃତ ସହିତ ଏଠାରେ ପିଲାମାନଙ୍କୁ ପର୍ସିଆନ, ହିନ୍ଦୀ, ଆରବିକ୍‌, ଇଂଲିଶ, ଗଣିତ ଓ ବିଜ୍ଞାନ ବିଷୟରେ ଶିକ୍ଷା ଦିଆଯାଉଛି। ଉର୍ଦ୍ଦୁ ଓ ଆରବିକ୍‌ ପଢାଇବା ଲାଗି ଦୁଇ ଜଣ, ସଂସ୍କୃତ ପାଇଁ ଜଣେ ଓ ଅନ୍ୟ ସବୁ ବିଷୟ ପାଇଁ ତିନିଜଣ ଶିକ୍ଷକ ସ୍କୁଲ୍‌ରେ ନିଯୁକ୍ତି ପାଇଛନ୍ତି।