ଏଇ ଭାରତରେ

ଏମିତି ସ୍କୁଲ୍‌ ଅଛି ଯେଉଁଠି ପିଲା ପଢୁଛନ୍ତି, ତା’ ସହ ଚାଷ ବି କରୁଛନ୍ତି। ମାତାପିତା ବି ପରୀକ୍ଷା ଦେଉଛନ୍ତି। କେରଳର ଆଲାପ୍ପୁଝା ଜିଲା ଅନ୍ତର୍ଗତ ମୁହମ୍ମାସ୍ଥିତ ସିଏମ୍‌ଏସ୍‌ ଲୋୟର ପ୍ରାଇମେରୀ ସ୍କୁଲ୍‌ରେ ଚାଲିଛି ଏମିତିକା ବ୍ୟବସ୍ଥା। ୧୫ ବର୍ଷ ତଳେ ଏହି ଅଞ୍ଚଳରେ ଘରୋଇ ସ୍କୁଲ୍‌ଗୁଡିକ ଗଢିିଉଠିବାରୁ ସ୍କୁଲକୁ ବନ୍ଦ କରି ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ କେତେଜଣ ଅଭିଭାବକ ଆଗେଇ ଆସି ସ୍କୁଲରେ ଏକ ଫାର୍ମ ଆରମ୍ଭ କରିଥିଲେ। ସେତେବେଳେ ସ୍କୁଲ୍‌ରେ ୧୯୭ ଜଣ ପିଲା ପଢୁଥିଲେ। ସେହି ସମୟରେ ସ୍କୁଲ୍‌ରେ ଶିକ୍ଷକ ଜଲି ଟମାସ୍‌ଙ୍କ ନେତୃତ୍ୱରେ ଫାର୍ମ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ଏବେ ସ୍କୁଲ୍‌ ଫାର୍ମରେ ପନିପରିବା, ଫୁଲ, ଫଳ, ଧାନ ଆଦି ଚାଷ କରାଯାଉଛି। ସ୍ଥାନୀୟ ରୋଟାରୀ କ୍ଲବ୍‌ ଓ କୃଷି ଭବନ ଏଥିପାଇଁ ସହଯୋଗ କରୁଛି। ସ୍କୁଲ୍‌ ପିଲାଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ଗ୍ରୁପ୍‌କୁ ଗାଇଡ୍‌ କରିବା ଲାଗି ଜଣେ ଶିକ୍ଷକ ରହିଛନ୍ତି। ଛୁଟି ହେବା ପରେ ପିଲାମାନେ ଘରକୁ ନ ଯାଇ ସ୍କୁଲ୍‌ ଫାର୍ମରେ କାମରେ ଲାଗିଯାଉଛନ୍ତି। ତାଙ୍କ ସହ ଶିକ୍ଷକ ଓ ଅଭିଭାବକମାନେ ମଧ୍ୟ କାମ କରୁଛନ୍ତି। ଫାର୍ମରୁ ଉପତ୍ାଦିତ ଶସ୍ୟ ଓ ପରିବା ପିଲାଙ୍କ ମଧ୍ୟାହ୍ନଭୋଜନରେ ବ୍ୟବହାର ହେଉଛି। ଏହାବାଦ୍‌ ବଳକା ପରିବା ବା ଶସ୍ୟକୁ ବଜାରରେ ବିକ୍ରି କରାଯାଇ ସ୍କୁଲ୍‌ର ବିକାଶରେ ବ୍ୟୟ କରାଯାଉଛି। ପିଲାମାନଙ୍କ ପାଠ୍ୟକ୍ରମ ସମ୍ପର୍କରେ ଅବଗତ ହେବା ପାଇଁ ‘ଓପନ ଏକ୍‌ଜାମିନେଶନ’ ବ୍ୟବସ୍ଥାରେ ଅଭିଭାବକମାନେ ପରୀକ୍ଷା ଦେଉଛନ୍ତି। ଏହା ବ୍ୟତୀତ ପଢ଼ା ବିଷୟରେ ଜାଣିବା ଲାଗିି ମା’ମାନେ ବି ପିଲାଙ୍କ ସହ ଗୋଟିଏ କ୍ଲାସ୍‌ରେ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯାଇଛି। ଏହି ସ୍କୁଲ୍‌ରେ ଇୟର ବୁକ୍‌ ପ୍ରକାଶ କରାଯାଉଛି। ଏଥିରେ ପିଲାମାନଙ୍କ ସହ ଅଭିଭାବକଙ୍କ ଗଳ୍ପ, ପ୍ରବନ୍ଧ ଓ ଛବି ସବୁ ପ୍ରକାଶ ପାଉଛି। ଏହି ସ୍କୁଲରେ ଏବେ ୭୦୦ ପିଲା ପଢୁଛନ୍ତି।