ଏଇ ଭାରତରେ

ସଂଘବଦ୍ଧ ସକାରାମତ୍କ ବିଚାର ଆଗରେ ସବୁକିଛି ସମ୍ଭବ। ଆଉ ଏହାକୁ ପ୍ରମାଣ ମଧ୍ୟ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଆଦିବାସୀମାନେ। ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ପିଲାମାନଙ୍କୁ ନିୟମିତ ସ୍କୁଲ ପଠାଇବା ଲାଗି ନିଜ ଉପରକୁ ଏକ ଗୁରୁଦାୟିତ୍ୱ ନେଇ ତାହାକୁ ପୂରଣ କରିବାରେ ଲାଗିଛନ୍ତି ଅଞ୍ଜନଓ୍ବାଡା ଗାଁର ଆଦିବାସୀ। ଆଲିରାଜପୁର ଜିଲା ଅନ୍ତର୍ଗତ ଏହି ଗାଁର ଗୋଟିଏ ପାଖରେ ପାହାଡ଼ ଓ ଆର ପାଖରେ ରହିଛି ନର୍ମଦା ନଦୀ। ଗାଁ ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ପିଲାଙ୍କୁ ମଥବାଡ଼ରେ ଥିବା ସ୍କୁଲକୁ ଯିବାକୁ ପଡେ। ପିଲାମାନେ ଏହି ସ୍କୁଲରେ ପହଞ୍ଚିବା ଲାଗି ଦୁଇଟି ରାସ୍ତା ରହିଛି। ନର୍ମଦାରେ ୧୫ କି.ମି.ଡଙ୍ଗାରେ ପାରହୋଇ ପାହାଡି ରାସ୍ତାରେ ୨୫ କି.ମି. ଚାଲନ୍ତି କିମ୍ବା ପାହାଡ଼ିଆ ରାସ୍ତାରେ ୩୫ କି.ମି. ଚାଲି ଚାଲି ସ୍କୁଲରେ ପହଞ୍ଚନ୍ତି। ଏଥିପାଇଁ ସେମାନଙ୍କୁ ଲାଗେ ୬ ଘଣ୍ଟା। ଏହି ସମସ୍ୟା ଦୂର କରିବା ପାଇଁ ଆଦିବାସୀମାନେ ପାହାଡ଼ କାଟି ରାସ୍ତା ନିର୍ମାଣ କରୁଛନ୍ତି। ଗ୍ରାମବାସୀ ପାଳି କରି ପାହାଡ଼ କାଟୁଛନ୍ତି ଓ ଏଥିରେ ପିଲାମାନେ ବି ସହଯୋଗ କରୁଛନ୍ତି। ସକାଳ ହେବା କ୍ଷଣି ସେମାନେ ପାହାଡ଼ କାଟିବା ଲାଗି ବାହାରି ପଡୁଛନ୍ତି। ଏଥିପାଇଁ ଗ୍ରାମବାସୀ ଏକ ସମିତି ଗଠନ କରିଛନ୍ତି। କିଏ କେଉଁ ଦିନ କାମ କରିବେ ତାହା ଏହା ମାଧ୍ୟମରେ ସ୍ଥିର କରାଯାଉଛି। ଏହି ରାସ୍ତା ସଫରଜା ସଡ଼କକୁ ଯୋଡିବ ଓ ସେଠାରୁ ବସ୍‌ ଯୋଗେ ସହଜରେ ସ୍କୁଲ୍‌ରେ ପିଲାମାନେ ପହଞ୍ଚିପାରିବେ ବୋଲି କହିଛନ୍ତି ଗ୍ରାମବାସୀ।