ଏଇ ଭାରତରେ

ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବାର ବହୁ ପୂର୍ବରୁ ଗ୍ରାମୀଣ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅଭିଯାନ ଚଳାଇଛନ୍ତି ତାମିଲନାଡୁର ମରାଚି ସୁବୁରାମନ। ତାମିଲନାଡୁ ସମେତ ଦେଶର ୨୬ଟି ରାଜ୍ୟରେ ସେ ୧ ଲକ୍ଷରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରିସାରିଛନ୍ତି। ବିଜ୍ଞାନରେ ସ୍ନାତକ ତଥା ବିଏଡ୍‌ ପାସ୍‌ ସୁବୁରାମନଙ୍କୁ ଏବେ ବୟସ ୭୦। ୧୯୮୬ରେ ସେ ସୋସାଇଟି ଫର୍‌ କମ୍ୟୁନିଟି ଅର୍ଗାନାଇଜେଶନ ଆଣ୍ଡ୍‌ ପିପୁଲ୍ସ ଏଜୁକେଶନ(ଏସ୍‌ସିଓପିଇ) ପ୍ରତିଷ୍ଠା କରି ତା’ ମାଧ୍ୟମରେ ପାଇଖାନା ନିର୍ମାଣ କରୁଛନ୍ତି। ଏହାର ନାମ ରଖିଛନ୍ତି ଇକୋସାନ୍‌ । ଏଥିରେ ପାଣିର ଆବଶ୍ୟକତା ବହୁତ କମ୍‌ ପଡୁଛି। ପ୍ରଥମେ ତାମିଲନାଡ଼ୁର କାଳୀପାଲାୟମ ଗାଁରେ ୨୦୦୦ରେ ଏଭଳି ପାଇଖାନା ନିର୍ମାଣ କରିଥିଲେ। ପରେ ୨୦୦୫ରେ କମ୍ୟୁନିଟି ଟଏଲେଟ ସିଷ୍ଟମ ଆରମ୍ଭ କରିଥିଲେ। ଏହି ସିଷ୍ଟମରେ ମହିଳା ଓ ପୁରୁଷଙ୍କ ଲାଗି ପ୍ରତ୍ୟେକ ୭ଟି ଲେଖାଏ ଓ ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ଲାଗି ଅଲଗା ପାଇଖାନା ନିର୍ମାଣ କରାଯାଉଛି। ଏବେ ସୁଦ୍ଧା ସୁବୁରାମନ ଏସ୍‌ସିଓପିଇ ମାଧ୍ୟମରେ କେବଳ ତିରୁଚିରାପଲ୍ଲୀ ଜିଲାରେ ୨୦ ହଜାରରୁ ଊର୍ଦ୍ଧ୍ୱ ପାଇଖାନା ନିର୍ମାଣ କରିସାରିଲେଣି। ବିହାର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଆସାମରେ ସେ ବେଶି ପାଇଖାନା ନିର୍ମାଣ କରିବାକୁ ଯାଜନା କରିଛନ୍ତି। ସେ ବିଭିନ୍ନ ବେସରକାରୀ ସଂସ୍ଥା ସହଯୋଗରେ ଗ୍ରାମୀଣ ବିକାଶ ଯୋଜନା ମାଧ୍ୟମରେ ଏହି ଅଭିଯାନ ଜାରି ରଖିଛନ୍ତି। ୬ମାସରୁ ବର୍ଷେ ମଧ୍ୟରେ ପ୍ରତ୍ୟେକ ପାଇଖାନାରୁ ୪୦୦କେଜି ଓ କମ୍ୟୁନିଟି ପାଇଖାନାରୁ ୧,୭୭୭ କେଜି ଯାହା ଖତ ବାହାରୁଛି ତାହାକୁ କୃଷକମାନଙ୍କୁ ମାଗଣାରେ ଯୋଗାଇଦେଉଛନ୍ତି।