ଏଇ ଭାରତରେ

ଛତିଶଗଡ଼ ରାଜ୍ୟ ଗଠନ ହେବାର ୨୦ ବର୍ଷ ପରେ ୧୦ଟି ଗାଁରେ ପ୍ରଥମ ଥର ପାଇଁ ମତଦାନ ହେବା ଘଟଣା ସାମ୍‌ନାକୁ ଆସିଛି। ଦାନ୍ତଓ୍ବୋଡା ଜିଲା ମାଓବାଦୀ ପ୍ରଭାବିତ ପୋଟାଲି ଅଞ୍ଚଳର ଏହି ଗାଁଗୁଡିକରେ ପଞ୍ଚାୟତ ନିର୍ବାଚନରେ ଲୋକମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। କୁଆକୋଣ୍ଡା ବ୍ଲକ୍‌ ଅଧୀନ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁଗୁଡିକରେ କେବେ ବି ବୁଥ୍‌ ହୋଇପାରି ନ ଥିଲା। ପୂର୍ବରୁ ଏହି ସବୁ ଗାଁ ପାଖରୁ ୧୦ରୁ ୧୫ କିମି ଦୂର ଅରନପୁର ଓ ସମେଲିରେ ବୁଥ୍‌ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ଗଁାରୁ ଲୋକେ ପହଞ୍ଚତ୍ ନ ପାରିବାରୁ ମତଦାନ ଶୂନ ପ୍ରତିଶତ ହୋଇଥିଲା। ଏଥର ଅରବେ, ପୋଟାଲି ଓ ମଡକାମୀରାସ ଗାଁରେ ପ୍ରଥମେ ବୁଥ କରାଯାଇ ଭୋଟ ଗ୍ରହଣ କରାଯାଇଛି। ଏହି ତିନିଟି ଗାଁ ବ୍ୟତୀତ ନୀଳାବାୟା, ବୁରୁଗୁମ, ହିରୋଲି, ରଓ୍ବୋଲି, ବୈରମ, ନହାଡି ଓ ଜବେଲିରେ ପ୍ରଥମ ଥର ମତଦାନ ହୋଇଛି। ଏହି ସବୁ ଦୁର୍ଗମ ଅଞ୍ଚଳକୁ କେହି ପ୍ରଚାର କରିବାକୁ ପୂର୍ବରୁ ଯାଉ ନ ଥିଲେ କି ବୁଥ୍‌ କରାଯାଉ ନ ଥିଲା। କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନରେ ସେଠାରେ ପ୍ରଚାର ହୋଇଥିଲା ଓ ଲୋକମାନେ ପୋଷ୍ଟର ବ୍ୟାନର୍‌ ଦେଖିବାକୁ ପାଇଥିଲେ। ପୋଟାଲିରେ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଖୋଲାଯିବା ପରେ ଯୋଗାଯୋଗ ସୁବିଧା ହେବାରୁ ଏହା ସମ୍ଭବ ହୋଇଛି ବୋଲି କୁହାଯାଉଛି। ପୋଟାଲି ଅଞ୍ଚଳ ଏତେ ଦୁର୍ଗମ ଯେ, ଗତ ବିଧାନସଭା ନିର୍ବାଚନରେ ଏଠାରେ ୧ କିମ୍ବା ୨ ପ୍ରତିଶତ ଭୋଟ ପଡିଥିଲା।