ଏଇ ଭାରତରେ

ଅନ୍ୟର ଉପକାର କରିବା ପାଇଁ ବେଳେବେଳେ ମଣିଷ କିଛି ନିଆରା କାମ କରିଥାନ୍ତି ଯାହା କରୁଛନ୍ତି ରାଜସ୍ଥାନ ଉଦୟପୁର ନିବାସୀ ଅଶୋକ ପାଲିଓ୍ବାଲ। କ୍ୟାନ୍‌ସର ରୋଗୀଙ୍କଠାରେ ସକାରାତ୍ମକ ଭାବନାର ଆବଶ୍ୟକତାକୁ ଉପଲବ୍ଧି କରି ସେ ଏଥିପାଇଁ ଆରମ୍ଭ କରିଛନ୍ତି ‘କେଶ ଦାନ ଅଭିଯାନ’। କେମୋଥେରାପିରେ କ୍ୟାନ୍‌ସର ପୀଡିତଙ୍କ ମୁଣ୍ଡରୁ କେଶ ଝଡ଼ିଯାଏ। ମୁଖ୍ୟତଃ ମହିଳାମାନେ ଏହି ପରିସ୍ଥିତିରେ ମାନସିକ ବିଷାଦର ଶିକାର ହୋଇଥାନ୍ତି। ଏଣୁ ସେମାନଙ୍କ ସମସ୍ୟା ଦୂରକରିବା ଲାଗି ପାଲିଓ୍ବାଲ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ମିଳୁଥିବା କେଶକୁ ମାଗଣାରେ କ୍ୟାନ୍‌ସର ରୋଗୀଙ୍କ ନିକଟରେ ପହଞ୍ଚାଉଛନ୍ତି। ଏବେ ସୁଦ୍ଧା ୭୦ରୁ ଊର୍ଦ୍ଧ୍ୱ ଲୋକ କେଶ ଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ ସ୍କୁଲ ଛାତ୍ରୀଙ୍କ ସଂଖ୍ୟା ସବୁଠୁ ବେଶି। ଦାନରେ ମିଳୁଥିବା କେଶକୁ ଅଶୋକ ଓ୍ବିଗ୍‌ ପ୍ରସ୍ତୁତ କରୁଥିବା ସଂସ୍ଥାକୁ ଦେଉଛନ୍ତି ଓ ପରେ ତାକୁ କ୍ୟାନ୍‌ସର ରୋଗୀଙ୍କୁ ବିନା ଦେୟରେ ଉପଲବ୍ଧ କରାଉଛନ୍ତି। ଏହି ଅଭିଯାନରେ ଅଶୋକ ଉଦୟପୁର ରୋଟାରି କ୍ଳବ୍‌, ସର୍ବଭାରତୀୟ ହେୟାର ବ୍ୟୁଟି ଆସୋସିଏଶନ, ଲେକ୍‌ସିଟି ବ୍ୟୁଟି ମଣ୍ଡଳ ସମେତ ଗୀତାଞ୍ଜଳି ମେଡିକାଲ କଲେଜକୁ ସାମିଲ କରିବାରେ ସକ୍ଷମ ହୋଇପାରିଛନ୍ତି।