ଏଇ ଭାରତରେ

ସମାଜରେ ଦିବ୍ୟାଙ୍ଗଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଲାଗି କାର୍ଯ୍ୟ କରାଯାଉଛି ସତ, କିନ୍ତୁ ସେମାନଙ୍କୁ ବିବାହବନ୍ଧନରେ ବାନ୍ଧି ସ୍ବାବଲମ୍ବୀ କରୁଥିବା ବ୍ୟକ୍ତି ବା ସଂସ୍ଥା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏଭଳି ଏକ ସଂସ୍ଥା ରହିଛି ରାଜସ୍ଥାନର ଉଦୟପୁରରେ। ନାଁ ‘ନାରାୟଣ ସେବା ସଂସ୍ଥା’। ଉକ୍ତ ସଂସ୍ଥା ଫେବୃୟାରୀ ୮ ଓ ୯ ଦୁଇଦିନ ବ୍ୟାପୀ ଦିବ୍ୟାଙ୍ଗଙ୍କ ବିବାହ ସମ୍ପାଦନ କରିଛି। ଏହି ଅବସରରେ ୫୧ ଦିବ୍ୟାଙ୍କ ଯୋଡ଼ିଙ୍କୁ ବିବାହ କରାଯାଇଛି। ବିବାହ ଉତ୍ସବର ନାମ ରଖାଯାଇଥିଲା ‘ରୟାଲ ମାସ୍‌ ଓ୍ବେଡିଂ’। ସମାଜରୁ ଯୌତୁକ ପ୍ରଥା ଲୋପ କରିବା ଏଭଳି ବିବାହର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହନ୍ତି ସଂସ୍ଥାର ଅଧିକାରୀମାନେ। କେବଳ ଏତିକି ନୁହେଁ ଦିବ୍ୟାଙ୍ଗଙ୍କୁ ମୁଖ୍ୟଧାରାକୁ ଆଣିବା ଲାଗି ମଧ୍ୟ ପ୍ରୟାସ କରାଯାଉଛି। ଏହି ସଂସ୍ଥା ବିବାହିତ ଦମ୍ପତିଙ୍କୁ ସାମାଜିକ ଓ ଆର୍ଥିକ ସହଯୋଗ ପ୍ରଦାନ କରି ଏକ ନୂଆ ଜୀବନ ଆରମ୍ଭ କରିବା ଲାଗି ସୁଯୋଗ ଦେଉଛି ବୋଲି କୁହନ୍ତି ସଂସ୍ଥାର ସଭାପତି ପ୍ରଶାନ୍ତ ଅଗ୍ରଓ୍ବାଲା। ଏହି ସଂସ୍ଥା ସ୍ଥାପନ ହେବା ପରଠାରୁ ଏଯାବତ୍‌ ୨୦୫୧ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ଓ ଅଭାବୀ ଦମ୍ପତିଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି। ସେମାନେ ପିଲାଙ୍କ ସହ ଏବେ ସୁଖୀ ଜୀବନ ବିତାଉଛନ୍ତି।