ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳାମାନଙ୍କୁ ବିକାଶରେ ଭାଗୀଦାରି କରିବା ଲାଗି ପ୍ରୟାସ ହେଉଛି ସତ କିନ୍ତୁ ଧାର୍ମିକ କ୍ଷେତ୍ରରେ ସେମାନଙ୍କ ପାଇଁ ଲାଗୁ ହେଉଛି ବାଛବିଚାର।
ଅନେକ କ୍ଷେତ୍ରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହିଳାମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ମନା କରାଯାଉଛି। କେରଳର ସାବରୀମାଲାସ୍ଥିତ ଆୟାପ୍ପା ସ୍ବାମୀ ମନ୍ଦିର କଥା ତ ସମସ୍ତେ ଜାଣନ୍ତି, ଯେଉଁଠି ମହିଳାମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ନ ଥିବାରୁ ମାମଲା ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ସେହିପରି ଆଉ ଏକ ପରମ୍ପରା ବଳବତ୍ତର ରହିଛି ଉତ୍ତର ଛତିଶଗଡ଼ର ଅବିଭକ୍ତ ସରଗୁଜା ଜିଲାର ଆଦିବାସୀ ଗ୍ରାମଗୁଡିକରେ। ଏଠାରେ ଥିବା ଗ୍ରାମଦେବତାଙ୍କ ସ୍ଥଳରେ ଦୈନିକ ପୂଜା କରାଯାଏନି। ବର୍ଷରେ ଦୁଇଥର ପୂଜା କରାଯାଇ ଗ୍ରାମର ସୁଖସମୃଦ୍ଧି କାମନା କରାଯାଏ। ଥରେ ଧାନ ରୁଆ ହେବାବେଳେ ଓ ଆଉ ଥରେ ଧାନ କଟାଯିବା ସମୟରେ ପୂଜା କରାଯାଇଥାଏ। ଗ୍ରାମର ପୂଜକ ଏହି ପୂଜା କରିଥାନ୍ତି। କିନ୍ତୁ ଏହି ସବୁ ଦେବସ୍ଥଳୀଗୁଡିକୁ ମହିଳାଙ୍କୁ ଯିବା ଲାଗି ବାରଣ କରାଯାଏ। ଏମିତିକି ଦେବତାଙ୍କ ନିକଟରେ ଚଢାଯାଉଥିବା ପ୍ରସାଦ ବି ମହିଳାମାନେ ଗ୍ରହଣ କରନ୍ତି ନାହଁି। ଦେବସ୍ଥଳୀଗୁଡିକୁ ରଙ୍ଗାଯାଏନି କି ଆକର୍ଷକ ଢଙ୍ଗରେ ସଜାଯାଏନି। କେବଳ ପୂଜା ଅବସରରେ ସେଠାରେ ଝୋପଡି ଘର କରାଯାଏ। ଏହି ଘରକୁ ସେମାନେ ଗୁଡିଘର ବୋଲି କୁହନ୍ତି। ଏହାକୁ ପକ୍କାଘର କଲେ କିମ୍ବା ସଜାସଜି କରାଗଲେ ଗାଁକୁ ବିପର୍ଯ୍ୟୟ ମାଡି ଆସିବ ବୋଲି ଗ୍ରାମବାସୀ ବିଶ୍ୱାସ କରନ୍ତି। ଏଥିତ୍ପାଇଁ ଗୁଡିଘରକୁ ଝୋପଡି ଭଳି ନିର୍ମାଣ କରାଯାଇ ଚାରିପାଖ ଖୋଲା ରଖାଯାଏ। ଏହାଦ୍ୱାରା ଚାରି ଦିଗକୁ ଗ୍ରାମଦେବତା ଦୃଷ୍ଟି ରଖି ଗାଁକୁ ବିପଦ ଆସିବାକୁ ଦିଅନ୍ତିନି ବୋଲି ଏମାନଙ୍କର ବିଶ୍ୱାସ ରହିଛି। ଏଠାରେ ଦେବତାଙ୍କୁ ମହୁଲି ମଦ ମଧ୍ୟ ଅର୍ପଣ କରାଯାଏ।