ଏଇ ଭାରତରେ

ମେହନତି ମଣିଷ ପାଇଁ ସବୁ କିଛି ସମ୍ଭବ। ଏହିପରି ଜଣେ ମଣିଷ ହେଉଛନ୍ତି ପଟିଆଲା ଜିଲାର ଭାଦସୋଁ-୨ର ବ୍ଲକ୍‌ ଶିକ୍ଷା ଅଧିକାରୀ ବଲକାର କୌର। ନିଷ୍ଠାପର ଉଦ୍ୟମ ବଳରେ ସେ ବ୍ଲକ୍‌ର ପ୍ରାଥମିକ ସ୍କୁଲଗୁଡିକର ଛବି ବଦଳାଇ ଦେଇଛନ୍ତି। ବିନା ସରକାରୀ ସହାୟତାରେ ସେ ଏହା କରିପାରିଛନ୍ତି। ଏଥିପାଇଁ ଶିକ୍ଷକମାନଙ୍କ ସାହାଯ୍ୟ ଲୋଡିଛନ୍ତି। ପ୍ରଥମେ ବଲକାର ତାଙ୍କ ଦରମା ସ୍କୁଲ ବିକାଶରେ ବ୍ୟୟ କରିବା ପରେ ୨୫ ଜଣ ଶିକ୍ଷକ ସେମାନଙ୍କର ଗୋଟିଏ ମାସର ଦରମା ସ୍କୁଲର ବିକାଶ ଲାଗି ଦେଇଛନ୍ତି। ତେବେ ଯାହା କମ୍‌ ରହିଗଲା ତାହା ଗ୍ରାମବାସୀ ପୂରଣ କରିଛନ୍ତି। ସ୍କୁଲଗୁଡିକରେ କେଉଁଠି ୫୦ ହଜାର ତ ଆଉ କେଉଁଠି ଦେଢ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ବୋଲି କୁହନ୍ତି ବଲକାର କୌର। ଏହି ଶିକ୍ଷା ଅଧିକାରୀଙ୍କ ପ୍ରୟାସରେ ୬୧ଟି ପ୍ରାଥମିକ ସ୍କୁଲ୍‌କୁ ସ୍ମାର୍ଟସ୍କୁଲ୍‌ କରାଯାଇପାରିଛି। ଏହାଦ୍ୱାରା ଏହି ସବୁ ସରକାରୀ ସ୍କୁଲ୍‌ରେ ପିଲାସଂଖ୍ୟା ବୃଦ୍ଧିପାଇଛି। ପ୍ରଥମେ ବ୍ଲକ୍‌ର ସ୍କୁଲଗୁଡିକରେ ୨୩୩୪ ଜଣ ପିଲା ପଢୁଥିଲେ, କିନ୍ତୁ ସ୍ମାର୍ଟସ୍କୁଲ ହେବା ପରେ ପିଲାସଂଖ୍ୟା ଏବେ ପହଞ୍ଚିଛି ୩୫୦୦ରେ। କେବଳ ଭାଦସୋଁ ସ୍କୁଲ୍‌ରେ ପଢୁଛନ୍ତି ୨୦୪ ଜଣ ପିଲା। ଏବେ ପୂରା ଶିକ୍ଷାବ୍ଲକ୍‌ ହୋଇଯାଇଛି ସ୍ମାର୍ଟବ୍ଲକ୍‌। ବଲକାର ୨୦୧୨ରୁ ବ୍ଲକ୍‌ ଶିକ୍ଷା ଅଧକାରୀ ଭାବେ ନିଯୁକ୍ତି ପାଇବା ପରେ ସ୍କୁଲଗୁଡିକର ଶୈକ୍ଷିକ ପରିବେଶ ବଦଳାଇବା ପାଇଁ ସ୍କୁଲ ପରିଚାଳନା କମିଟିର ସହଯୋଗ ଲୋଡିଥିଲେ। ବର୍ତ୍ତମାନ ସବୁ ସ୍କୁଲରେ ପ୍ରି-ପ୍ରାଇମେରୀ ପିଲାଙ୍କ ପାଇଁ ଟୟ କର୍ନର, ରଙ୍ଗବେରଙ୍ଗର ଶ୍ରେଣୀଗୃହ, ପ୍ରୋଜେକ୍ଟର, ଏଲ୍‌ଇଡି, ସାଉଣ୍ଡ ୍‌ ସିଷ୍ଟମ୍‌ ଓ ପିଲାମାନଙ୍କ ପାଇଁ ବସିବାକୁ ବେଞ୍ଚ ଏବଂ ପାଠ୍ୟସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି।