ଏଇ ଭାରତରେ

ନିଜେ ଉଚ୍ଚତର ଶିକ୍ଷା ହାସଲ କରିନାହାନ୍ତି, କିନ୍ତୁ ଗଁାର ପିଲାମାନେ କିପରି ତାହା ଲାଭ କରିବେ ସେଥିପାଇଁ ଜଣେ କୃଷକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ଏହିପରି ଜଣେ କୃଷକ ହେଉଛନ୍ତି ମଧ୍ୟପ୍ରଦେଶ ବିଦିଶା ଜିଲାର କମଳ ସିଂ ଧାକଡ଼। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଅଷ୍ଟମ ଶ୍ରେଣୀ ପାସ କରିବା ପରେ ଆଉ ଅଧିକ ପଢିପାରି ନ ଥିଲେ। କିନ୍ତୁ ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳର ପିଲାମାନଙ୍କୁ ଉଚ୍ଚତର ଶିକ୍ଷା ଉପଲବ୍ଧ କରାଇବା ପାଇଁ ନଟେରନ ତହସିଲ ଅନ୍ତର୍ଗତ ସେଉକେ ଗାଁର କୃଷକ କମଳ ସ୍କୁଲ ଓ କଲେଜ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୭ ବିଘା ଜମି ଦାନ କରିଛନ୍ତି। ଏବେ ଏହି ଜମିରେ ମଡେଲ ସ୍କୁଲ ଓ ସରକାରୀ କଲେଜ ଚାଲୁଛି। ୫୧ ବର୍ଷୀୟ କମଳ ୨୦୧୦ରେ ସେଉକେ ପଞ୍ଚାୟତର ସରପଞ୍ଚ ଥିଲେ। ସେହି ସମୟରେ କେନ୍ଦ୍ରୀୟ ଯୋଜନାରେ ନଟେରନରେ ମଣ୍ଡଳ ସ୍କୁଲ୍‌ ପ୍ରତିଷ୍ଠା କରାଯିବା ଲାଗି ମଞ୍ଜୁରି ମିଳିଥିଲା। କିନ୍ତୁ ସେଠାରେ ସରକାରୀ ଜମି ଉପଲବ୍ଧ ନ ହେବାରୁ କମଳ ତାଙ୍କ ଗାଁରେ ଏହାକୁ ପ୍ରତିଷ୍ଠା କରିବା ଲାଗି ୨୦୧୩ରେ ସ୍କୁଲ ପାଇଁ ପ୍ରଥମେ ୫ ବିଘା ଜମି ଦାନ କରିଥିଲେ। ଦୁଇ ବର୍ଷ ମଧ୍ୟରେ ସେଠାରେ ସ୍କୁଲ ନିର୍ମାଣ ହୋଇଥିଲା। ଏବେ ସେଠାରେ ୪୦୦ ପିଲା ପଢୁଛନ୍ତି। ପୁଣି ସେଉକେରେ କଲେଜ ପ୍ରତିଷ୍ଠା ଲାଗି କମଳ ୧୨ ବିଘା ଜମି ଦାନ କରିଛନ୍ତି। ଏହାବାଦ୍‌ ସେ ମାର୍କେଟିଂ ସୋସାଇଟି ପାଇଁ ୧ ବିଘା ଓ କୋର୍ଟ ଭବନ ଲାଗି ୫ ବିଘା ଜମି ଦାନ କରିଛନ୍ତି। କମଳଙ୍କ ଆଉ ଚାରି ଭାଇ ଅଛନ୍ତି। ସେମାନଙ୍କ ପାଖରେ ଏବେ ୩୦୦ ବିଘା ଜମି ରହିଛି। କିନ୍ତୁ ଶିକ୍ଷାର ବିକାଶ ପାଇଁ ସେମାନେ ଜମି ଦେବାକୁ କୁଣ୍ଠିତ ହୋଇନାହାନ୍ତି।