ଏଇ ଭାରତରେ

ଗୁଜରାଟରେ ମଦ କାରବାର ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି। ଏହା ସତ୍ତ୍ୱେ ମଦ୍ୟପମାନେ କେଉଁଠୁ କେମିତି ଆଣି ପିଇଦେଉଛନ୍ତି। ତେବେ ଏମିତିକା ମଦ୍ୟପଙ୍କ ନିଶାଭ୍ୟାସ ଛଡାଇବା ଲାଗି ଗୁଜରାଟର ଏକ ଗାଁ ଆପଣାଇଛି ଅଜବ ଉପାୟ। ଅହମଦାବାଦ ଜିଲା ଅନ୍ତର୍ଗତ ସାଣନ୍ଦ ନିକଟବର୍ତ୍ତୀ ଗାଁ ମୋତିପୁରରେ ମଦ୍ୟପଙ୍କୁ ସାବାଡ କରିବା ପାଇଁ ନିର୍ମାଣ କରାଯାଇଛି ପିଞ୍ଜରା ଜେଲ୍‌ । କେହି ଯଦି ଗାଁରେ ମଦ ପିଇଥିବା ଜାଣାପଡନ୍ତି ତେବେ ତୁରନ୍ତ ତାଙ୍କୁ ଲୁହା ପିଞ୍ଜରା ଭିତରେ ରଖାଯାଉଛି। ୨୪ ଘଣ୍ଟା ଯାଏ ଏହି ଜେଲ୍‌ରେ ସେମାନେ ରୁହନ୍ତି। ପରେ ପରିବାର ଲୋକ ୧୨୦୦ ଟଙ୍କା ଜରିମାନା ଦେଇ ତାଙ୍କୁ ଜେଲରୁ ମୁକୁଳାଇଥାନ୍ତି। ମଦ୍ୟପଙ୍କ ପାଇଁ ଏଭଳି ପିିଞ୍ଜରା ଜେଲ୍‌ ତିନିବର୍ଷ ପୂର୍ବରୁ ପ୍ରଥମେ ଆରମ୍ଭ କରାଯାଇଥିଲା। ଗତ ଦୁଇବର୍ଷରେ ଏଥିରୁ ଗ୍ରାମବାସୀଙ୍କୁ ସଫଳତା ମିଳିଛି । ଏବେ ଏଭଳି ଘଟଣା ଆଉ ସାମ୍‌ନାକୁ ଆସୁନାହିଁ। ସମୟ ଥିଲା ମଦ୍ୟପଙ୍କ ଆତଙ୍କ ଏଭଳି ଥିଲା ଯେ, ଆଖପାଖ ଗାଁର ଲୋକେ ଏହି ଗାଁକୁ ଆସିବାକୁ ଭୟ କରୁଥିଲେ। ଏଣୁ ମଦ୍ୟପଙ୍କ କବଳରୁ ଗାଁକୁ ରକ୍ଷା କରିବା ଲାଗି ଗ୍ରାମବାସୀ ଏହି ନିୟମ କରିବାକୁ ବାଧ୍ୟ ହୋଇଥିଲେ। ଯେଉଁମାନେ ତିନିଥର ମଦ ପିଇବେ ସେମାନଙ୍କୁ ଗାଁରୁ ବହିଷ୍କାର କରାଯିବାର ନିୟମ ମଧ୍ୟ କରାଯାଇଛି ବୋଲି କୁହନ୍ତି ସ୍ଥାନୀୟ ସରପଞ୍ଚ ବାବୁଭାଇ ନାୟକ। କିନ୍ତୁ ଏଯାବତ୍‌ ଏଭଳି କୌଣସି ଘଟଣା ଘଟିନାହିଁ କି କାହାକୁ ଗାଁରୁ ବିଦା ହେବାକୁ ପଡିନାହିଁ। ଏହି ଦଣ୍ଡ ବ୍ୟବସ୍ଥାରେ ମଦ୍ୟପ ପୂରା ସୁଧୁରିଯାଉଛନ୍ତି ବୋଲି କୁହନ୍ତି ସରପଞ୍ଚ।