ଏଇ ଭାରତରେ

ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ପାଇଁ ସବୁ ଧର୍ମରେ ଗର୍ଭବତୀମାନେ ଧର୍ମଗ୍ରନ୍ଥ ପାଠ କରିବା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। କିନ୍ତୁ ଦୁଇଜଣ ମୁସଲ୍‌ମାନ ମହିଳା ତାଙ୍କ ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ଲାଗି ସଦ୍‌ଭାବନାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଗ୍ବାଲିୟରର ଫୁଲ୍‌ବାଗ ପଡିଆରେ ଆୟୋଜିତ ଗର୍ଭସଂସ୍କାର ଓ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ଦୁଇଜଣ ମୁସଲ୍‌ମାନ ଗର୍ଭବତୀ ପହଞ୍ଚିବା କ୍ଷଣି ସେମାନଙ୍କୁ ସ୍ବାଗତ କରାଯାଇଥିଲା। ହିନ୍ଦୁ ମହିଳାମାନେ ଉକ୍ତ ମୁସଲମାନ ମହିଳାଙ୍କୁ ସେମାନଙ୍କ ଗହଣରେ ବସିବା ଲାଗି ସ୍ଥାନ ଦେଇଥିଲେ। ସେମାନେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଚାଲିଥିବା ବେଳେ କୁଣ୍ଡରେ ଆହୁତି ମଧ୍ୟ ଦେଇଥିଲେ। ଏହି ଅବସରରେ ଗର୍ଭସଂସ୍କାର ଲାଗି ୫୦୦ ମହିଳା ସାମିଲ ହୋଇଥିଲେ। ଗ୍ବାଲିୟରର ଗୁଡିଗୁଡାସ୍ଥ ଖଜାଞ୍ଚି ବାବାଙ୍କ ଦରଘା ନିବାସୀ ରୁଖ୍‌ସାର ଓ ଇବରା ନିବାସୀ ଖୁସ୍‌ବୁ ବାନୋ ଏହି ଯଜ୍ଞରେ ଭାଗନେଇଥିଲେ। କୋରାନ ସହ ଗାୟତ୍ରୀ ମନ୍ତ୍ରରେ ଗର୍ଭସ୍ଥ ଶିଶୁ ସଂସ୍କାରିତ ହୋଇଥାନ୍ତି ବୋଲି ବିଶ୍ୱାସ କରୁଥିବା ଏଇ ଦୁଇ ମହିଳାଙ୍କ ଭାବନାକୁ ସେମାନଙ୍କ ସ୍ବାମୀ ମଧ୍ୟ ସମ୍ମାନ ଜଣାଇଛନ୍ତି। ଭଲ କାର୍ଯ୍ୟ ଯେକୌଣସି ଧର୍ମର ହେଲେ ବି ତାହାକୁ ଗ୍ରହଣ କରିବା ଉଚିତ ବୋଲି ସେମାନେ କହିଛନ୍ତି। ଖୁସ୍‌ବୁ ବାନୋଙ୍କ ପରିବାର ହିନ୍ଦୁମାନଙ୍କ ସହ ମିଳିମିଶି ଚଳନ୍ତି। ତାଙ୍କ ସ୍ବାମୀ ସାଦିକ ବଜରଙ୍ଗବାଲୀଙ୍କ ଭକ୍ତ ଓ ନମାଜ ବି ପଢନ୍ତି। ଏହାବାଦ୍‌ ରୁଖ୍‌ସାର ନିୟମିତ ପୂଜାପାଠ କରିବା ସହ ତିଳକ ମଧ୍ୟ ଲଗାନ୍ତି ବୋଲି କୁହନ୍ତି ତାଙ୍କ ସ୍ବାମୀ ଆବିର। ସେ କୁହନ୍ତି, କୋରାନ୍‌ ପଢି ଆମକୁ ଯେତିକି ଆନନ୍ଦ ମିଳେ ଗୀତା ଶୁଣି ବି ସେତିକି ଖୁସି ଲାଗେ।