ଏଇ ଭାରତରେ

ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଫଳତା ମିଳିଥାଏ। ଏମିତି ଏକ ସଫଳତା ପାଇଛନ୍ତି ବିହାରର ମହିଳାମାନେ। ସେମାନେ ନିଜସ୍ବ ଉଦ୍ୟମରେ ଖୋଲିଛନ୍ତି ‘ଅପନା ବ୍ୟାଙ୍କ’। ମୁଜାଫରପୁର ଜିଲା ସୁରାହରି ବ୍ଲକ୍‌ ଖଦି ଭଣ୍ଡାର ନିକଟରେ ୨୦୧୭ରୁ ଏହି ବ୍ୟାଙ୍କ ସଫଳତାର ସହ ଚାଲୁଛି। ଏହା ମାଧ୍ୟମରେ ସେମାନେ ଜୀବିକା ଉପାର୍ଜନର ବାଟ ପାଇପାରିଛନ୍ତି। ସେମାନେ ଋଣ ନେଇ କୃଷି ଓ ଦୋକାନରେ ଲଗାଇଛନ୍ତି। ବ୍ୟାଙ୍କର କର୍ମଚାରୀ ଓ ସଦସ୍ୟ ସମସ୍ତେ ମହିଳା। ବ୍ୟାଙ୍କରେ ଅଧ୍ୟକ୍ଷ, ସମ୍ପାଦକ ଓ କୋଷାଧ୍ୟକ୍ଷଙ୍କ ବ୍ୟତୀତ ଆଉ ୫ ଜଣ ମହିଳା କର୍ମଚାରୀ ରହିଛନ୍ତି। ଏହି ବ୍ୟାଙ୍କରେ ୨୫ ଲକ୍ଷ ଟଙ୍କା ଜମା ରହିଛି। ଏଥିରୁ ଋଣ ନେବା ପାଇଁ ଆବେଦନ କରିବାକୁ ହୁଏ। ପରେ ବ୍ୟାଙ୍କର ଅଧ୍ୟକ୍ଷ, ସମ୍ପାଦକ ଓ କୋଷାଧ୍ୟକ୍ଷ ସ୍ବୀକୃତି ଦେବା ପରେ ସମ୍ପୃକ୍ତ ମହିଳାଙ୍କୁ ଋଣ ଦିଆଯାଏ ଓ ତାଙ୍କ ବ୍ୟାଙ୍କ ଖାତାରେ ଲେଖାଯାଏ। ଋଣ ନେଇଥିବା ମହିଳାଙ୍କୁ ଏକ ବର୍ଷରେ ମୂଳ ସହ ସୁଧ ଦେବାକୁ ପଡେ। ପାଖାପାଖି ୧୧୦୦ ମହିଳା ପ୍ରତିମାସରେ ଏହି ବ୍ୟାଙ୍କରେ ଟଙ୍କା ଜମା କରୁଛନ୍ତି। ଟଙ୍କା ଦେଣନେଣ ଆଲ୍ଲାହାବାଦ ବ୍ୟାଙ୍କ୍‌ ମାଧ୍ୟମରେ ହେଉଛି। ଅପନା ବ୍ୟାଙ୍କରୁ ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଏ। ମାସକୁ ୧୦୦ ଟଙ୍କାରେ ୨ ଟଙ୍କା ସୁଧ ଦେବାକୁ ପଡେ। ଏବେ ୨୦୦ ମହିଳାଙ୍କୁ ଋଣ ପ୍ରଦାନ କରାଯାଇଛି। ଏମାନଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଜଣେ ମହିଳାଙ୍କୁ ମାସିକ ୮ ହଜାର ଟଙ୍କାରେ ନିଯୁକ୍ତି ଦିଆଯାଇଛି।