ଏଇ ଭାରତରେ

କେରଳର ଏମ୍‌.ଜେ. ପଲ୍‌ ନାମକ ଜଣେ ବ୍ୟକ୍ତି ମଦ୍ୟପାନ ଭଳି କୁଅଭ୍ୟାସ ଛାଡି ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ପଲ୍‌ଙ୍କ ବ୍ଲଡ୍‌ଗ୍ରୁପ ‘ଓ’ ନେଗେଟିଭ୍‌ ହୋଇଥିବାରୁ ବହୁ ସମୟରେ ତାଙ୍କୁ ଖୋଜାପଡେ ଓ ସେ ମଧ୍ୟ ରକ୍ତଦାନ କରିବାକୁ ଆଗେଇ ଆସନ୍ତି। ରୋଗୀଙ୍କୁ ରକ୍ତଦାନ କରି ଏବେ ସୁଦ୍ଧା ପଲ୍‌ ୮୦ ଜଣଙ୍କ ଜୀବନ ବଞ୍ଚାଇପାରିଛନ୍ତି। ସେ ବଞ୍ଚାଇଥିବା ପିଲାଟି କେତେବେଳେ ତା’ ଜନ୍ମଦିନରେ ତାଙ୍କୁ ଡାକୁଛି ତ ଅନ୍ୟମାନେ ବିଭିନ୍ନ ଉତ୍ସବରେ ତାଙ୍କୁ ଖୋଜୁଛନ୍ତି। କେବଳ ଏତିକି ନୁହେଁ ସେ ପ୍ରତି ତିନିମାସରେ ଥରେ ରକ୍ତଦାନ କରୁଛନ୍ତି। ୨୫ ବର୍ଷ ହେବ ପଲ୍‌ ଏହି ମହତ୍‌ କାର୍ଯ୍ୟ କରୁଥିବାରୁ ରାଜ୍ୟ ସରକାର ତାଙ୍କ ରକ୍ତଦାନର ସିଲ୍‌ଭର ଜୁବିଲି ପାଳନ ମଧ୍ୟ କରିଛନ୍ତି। ୩୦ ବର୍ଷ ତଳେ ପଲ ଅତ୍ୟଧିକ ମଦ୍ୟପାନ କରୁଥିଲେ। ସେ ଆଲାପୁଝାରେ ଗାଡି ଚଳାଇ ଗୁଜରାଣ ମେଣ୍ଟାଉଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ, ତାଙ୍କ ସ୍ତ୍ରୀ ଓ ଝିଅ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଚାକିରି ବି ଚାଲି ଯାଇଥିଲା। କିନ୍ତୁ ମଦ୍ୟପାନ ଛାଡିଦେବା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସଲା। ପରେ ତାଙ୍କଠାରୁ ଦୂରେଇଯାଇଥିବା ତାଙ୍କ ସ୍ତ୍ରୀ ଓ ଝିଅ ପୁଣି ଫେରିଆସିଲେ ଏବଂ ତାଙ୍କୁ ସରକାରୀ ସଂସ୍ଥାରେ ଡ୍ରାଇଭର ଭାବେ ନିଯୁକ୍ତି ବି ମିଳିଲା ବୋଲି କୁହନ୍ତି ପଲ୍‌। ରକ୍ତଦାନ ଲାଗି ରାଜ୍ୟ ସରକାର ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି। ‘ନେଗେଟିଭ୍‌’ ନାମରେ ଏକ ହ୍ବାଟ୍ସଆପ ଗ୍ରୁପ୍‌ ଖୋଲି ଏହା ମାଧ୍ୟମରେ ରକ୍ତଦାନ ଲାଗି ଲୋକମାନଙ୍କୁ ବୁଝାଉଛନ୍ତି। ଏହା ଏବେ ରାଜ୍ୟରେ ସବୁଠୁ ବଡ ବ୍ଲଡ୍‌ ଡୋନର୍‌ ଗ୍ରୁପ୍‌। ପଲ୍‌ଙ୍କୁ ଏବେ ବୟସ ୬୦। ଚାକିରିରୁ ଅବସର ନେଇ ସେ ଏବେ ପୂରା ସମୟ ରକ୍ତଦାନ ପ୍ରତି ସମର୍ପିତ ହୋଇଛନ୍ତି।