ଏଇ ଭାରତରେ

ପାଇଖାନା ନ ଥିବା ଘରକୁ ବୋହୂ ହୋଇ ଆସିଥିବା ଝିଅଟି ନିଜସ୍ବ ଉଦ୍ୟମରେ ଗାଁରେ ବର୍ଷକ ଭିତରେ ୨୫୦ଟି ପାଇଖାନା ନିର୍ମାଣ କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ୨୧ ବର୍ଷୀୟା କୋମଲ ହଡାଲା ଏଭଳି କାର୍ଯ୍ୟ କରି ସ୍ବଚ୍ଛ ଭାରତର ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଦକ୍ଷିଣପୁରୀରେ ତାଙ୍କର ଜନ୍ମ। ତାଙ୍କ ବାହାଘର ହୋଇଥିଲା ଉତ୍ତରପ୍ରଦେଶର ନିଥୋରା ଗାଁରେ। ଶାଶୁଘରେ ପାଇଖାନା ନ ଥିଲା। ତାଙ୍କୁ ବାହାରେ ଶୌଚ କରିବାକୁ ପଡୁଥିଲା। ଏହା କେବଳ ତାଙ୍କ କ୍ଷେତ୍ରରେ ଘଟୁ ନ ଥିଲା, ବରଂ ନିଥୋରାର ସବୁ ମହିଳା ଏଭଳି ସମସ୍ୟାକୁ ସାମ୍‌ନା କରୁଥିଲେ। ପ୍ରଥମେ କୋମଲ ପରିବାର ଲୋକଙ୍କୁ ସ୍ବଚ୍ଛତା ସମ୍ପର୍କରେ ବୁଝାଇ ଘରେ ପାଇଖାନା ନିର୍ମାଣ କରାଇଥିଲେ। ପରେ ଗାଁରେ ଅନ୍ୟ ଘରଗୁଡିକରେ ପାଇଖାନା ନିର୍ମାଣ କରିବାର ପ୍ରୟାସ ଆରମ୍ଭ କରିଥିଲେ। ଘର ଭିତରେ ପାଇଖାନା ନିର୍ମାଣ କରିବା ଠିକ୍‌ ନୁହେଁ ବୋଲି ବିଶ୍ୱାସ କରୁଥିବା ବୟସ୍କ ବ୍ୟକ୍ତିମାନେ କୋମଲଙ୍କୁ ପ୍ରଥମେ ବିରୋଧ କରିଥିଲେ। କିନ୍ତୁ ପାଇଖାନାର ଉପକାରିତା ସମ୍ପର୍କରେ ଜାଣିବା ପରେ ସେମାନେ ଗାଁରେ ପାଇଖାନା ନିର୍ମାଣ କରିବା ଲାଗି କୋମଲଙ୍କୁ ସମର୍ଥନ କରିଥିତ୍ଲେ। ସେ ଗାଁ ମୁଖିଆଙ୍କୁ ପାଇଖାନା ନିର୍ମାଣ କରିବା ଲାଗି ଅନୁରୋଧ କରି ସଫଳତା ପାଇବା ପରେ କୋମଲ, ତାଙ୍କ ଶାଶୁ ଓ ଗାଁର ଅନ୍ୟ ମହିଳାମାନେ ଏକାଠି ହୋଇ ଗଠନ କରିଥିଲେ ଏକ ନିଗରାନୀ ସମିତି। ଏହାପରେ ଗାଁର ପୁରୁଷମାନେ ବି ଏଥିରେ ସହଯୋଗର ହାତ ବଢାଇଥିଲେ। ଏହାଦ୍ୱାରା ନିଥୋରାରେ ୨୦୧୯ରେ ୨୫୦ ନୂଆ ପାଇଖାନା ନିର୍ମାଣ କରାଯାଇଥିତ୍ଲା। ଏମିତିକି ୨୦୧୯ରେ ନରଓ୍ବେର ପ୍ରଧାନମନ୍ତ୍ରୀ ଏର୍‌ନା ସୋଲବର୍ଗ ନିଥୋରା ଯାଇ କୋମଲଙ୍କୁ ପ୍ରଶଂସା କରିଥିଲେ। କେବଳ ଏତିକି ନୁହେଁ କୋମଲଙ୍କ ତତ୍ତ୍ୱାବଧାନରେ ମହିଳାମାନେ ଭୋର ୪ଟାରେ ଉଠି ମହିଳାମାନଙ୍କୁ ବାହାରେ ଶୌଚ କରିବାରୁ କ୍ଷାନ୍ତ କରାଇ ପାଇଖାନା ବ୍ୟବହାର କରିବାକୁ କହୁଛନ୍ତି। କୋମଲ ଏବେ ମହିଳାମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି।