ଏଇ ଭାରତରେ

କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ କେତେଶହ ଅଥବା କେତେ ହଜାର ଟଙ୍କା ବ୍ୟୟ ହେଉଥିବା ବେଳେ ମୃତକଙ୍କର ଆତ୍ମୀୟମାନେ ହିଁ ଏଥିପାଇଁ ଖର୍ଚ୍ଚାନ୍ତ ହୋଇଥାଆନ୍ତି। ତେବେ ବର୍ତ୍ତମାନ ତେଲେଙ୍ଗାନାର କରିମ୍‌ନଗର ପୌର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ଯୋଜନା। ଏଠାରେ ଏଣିକି ଟଙ୍କାଏରେ ହେବ ଅନ୍ତିମ ସଂସ୍କାର। ଅର୍ଥାତ୍‌ କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର ପାଇଁ ତାଙ୍କ ନିକଟ ଆତ୍ମୀୟଙ୍କୁ ଏକ ଟଙ୍କା ଦେବାକୁ ପଡିବ। ଏହା ଦେଶରେ ପ୍ରଥମକରି ଆରମ୍ଭ ହୋଇଥିବା କୁହାଯାଉଛି। ପୂର୍ବରୁ ଏକଟଙ୍କାରେ ଖାଦ୍ୟ ଯୋଜନା ଆରମ୍ଭ ହୋଇଥିଲା। ଏଠାରେ ମୃତକଙ୍କ ଅନ୍ତିମ ସଂସ୍କାର କେବଳ ଏକଟଙ୍କାରେ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ସବୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ଲାଗୁହେବ ବୋଲି ନଗର ନିଗମ ମେୟର ଏସ୍‌. ରବୀନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଏଥିପାଇଁ ୧ କୋଟି ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ମେୟର ସୂଚନା ଦେଇଛନ୍ତି। ସେହିପରି ଏହି ଯୋଜନା ଅଧୀନରେ ପରମ୍ପରା ଅନୁସାରେ କୌଣସି ବ୍ୟକ୍ତିର ଶ୍ରାଦ୍ଧଦିନ ମାତ୍ର ୫ ଟଙ୍କାରେ ୫୦ ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ଏହି ଅଭିନବ ଯୋଜନା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।