ଏଇ ଭାରତରେ

ଶିକ୍ଷା ପ୍ରତି ଝିଅମାନଙ୍କର ଆଗ୍ରହ ବଢ଼ାଇବା ଲାଗି ଗୁଜରାଟର ଏକ ପଞ୍ଚାୟତ ଆପଣାଇଛି ଏକ ଅଜବ ଉପାୟ। ଏଠାରେ ନିର୍ମାଣ କରାଯାଉଥିବା ରାସ୍ତାଗୁଡିକର ନାମକରଣ ପଞ୍ଚାୟତର ମେଧାବୀ ଝିଅମାନଙ୍କ ନାମରେ ନାମିତ କରାଯାଇ ସେମାନଙ୍କୁ ସମ୍ମାନ ଦିଆଯାଉଛି। ଏମିତି ଘଟଣା ଦେଖିବାକୁ ମିଳିଛି କଚ୍ଛ ଜିଲାର କୁକମା ପଞ୍ଚାୟତରେ। ଦେଢବର୍ଷ ମଧ୍ୟରେ ଏହି ପଞ୍ଚାୟତରେ ୧୬ ଜଣ ଝିଅଙ୍କ ନାମରେ ବିଭିନ୍ନ ରାସ୍ତା ନାମକରଣ କରାଯାଇ ସାରିଲାଣି। ଏଭଳି ନାମକରଣ ପ୍ରଥମେ ସେପ୍ଟେମ୍ବର ୨୦୧୮ରେ ଆରମ୍ଭ କରାଯାଇଥିଲା ବୋଲି କହନ୍ତି କୁକୁମା ସରପଞ୍ଚ କଙ୍କୁବେନ୍‌ ବଣକର। ଏଥିପାଇଁ ପଞ୍ଚାୟତ ସାଧାରଣ ସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଭୁଜ ତହସିଲ ଅନ୍ତର୍ଗତ ଏହି ପଞ୍ଚାୟତର ଏଭଳି କାର୍ଯ୍ୟ ସମ୍ପର୍କରେ ଏବେ ଚର୍ଚ୍ଚା ହେଉଛି ଓ ଏହା ଦେଖିବାକୁ ଆଖପାଖ ୫ଟି ଜିଲାର ସରପଞ୍ଚମାନେ ବି କୁକମାକୁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କଚ୍ଛ ଜିଲା ମହିଳା ଓ ଶିଶୁ ବିକାଶ ଅଧିକାରୀ ଏକ ସର୍କୁଲାର ଜାରି କରି ସବୁ ପଞ୍ଚାୟତରେ ରାସ୍ତାର ନାମ ମେଧାବୀ ଝିଅମାନଙ୍କ ନାମରେ ନାମିତ କରିବାକୁ ସୁପାରିଶ କରିଛନ୍ତି।