ଏଇ ଭାରତରେ

ଥରେ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା କହିଥିଲେ ‘ଯଦି ତୁମ ପାଖରେ କୌଣସି କାର୍ଯ୍ୟ କରିବାର ଦକ୍ଷତା ରହିଛି ତେବେ ତାହା ତୁମେ ମାଗଣାରେ କର ନାହିଁ’। କିନ୍ତୁ କେରଳର ଆଲୁଭାନିବାସୀ ସାଜି ଭାଲାସେରି ଏଥିରେ ଏକମତ ନୁହନ୍ତି। ସେ ଦିନବେଳା ଷ୍ଟିଲ୍‌ ଫର୍ନିଚର ତିଆରି କରି ପେଟ ପୋଷୁଥିଲେ ବି ତାଙ୍କ ମୂଳ ଲକ୍ଷ୍ୟ ରହିଛି ସୁଇମିଂ ମାଧ୍ୟମରେ ଖୁସି ବାଣ୍ଟିବା। ସେ ଏବେ ସ୍କୁୁଲ୍‌ ପିଲା, ବୟସ୍କ ତଥା ଦୃଷ୍ଟିବାଧିତଙ୍କୁ ମାଗଣାରେ ସୁଇମିଂ ପ୍ରଶିକ୍ଷଣ ଦେଉଛନ୍ତି। ୫ ବର୍ଷ ବୟସର ପିଲାଠାରୁ ଆରମ୍ଭ କରି ୬୫ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ସାଜିଙ୍କଠାରୁ ସୁଇମିଂ ଶିଖୁଛନ୍ତି। ଏକ ଦଶନ୍ଧି ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ପ୍ରଥମେ ସାଜି ତାଙ୍କର ଓ ତାଙ୍କ ବନ୍ଧୁଙ୍କର ତିନି ଜଣ ପିଲାଙ୍କୁ ସୁଇମିଂ ଶିଖାଇବା ଆରମ୍ଭ କରିବା ପରେ ଏବେ ସୁଦ୍ଧା ୩୨୦୦ ଲୋକଙ୍କୁ ଏହା ଶିଖାଇ ସାରିଲେଣି। ବୟସ୍କମାନଙ୍କ ପାଇଁ ଡିସେମ୍ବରରୁ ମାର୍ଚ୍ଚ ଓ ପିଲାମାନଙ୍କ ଲାଗି ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସେ ପ୍ରଶିକ୍ଷଣ ଦେଉଛନ୍ତି। ସୁଇମିଂ ଅଭ୍ୟାସ ଆଲୁଭା ନଦୀରେ ସକାଳ ୬ରୁ ୯.୩୦ ଯାଏ ଚାଲେ । ଅଭ୍ୟାସ ସମୟରେ ସୁରକ୍ଷା ପାଇଁ ସାଜି ଗୋଟିଏ ସେଫ୍ଟି ବୋଟ୍‌ ଓ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି ଯାହା ସବୁବେଳେ ମିଳିଥାଏ। ସାଜିଙ୍କଠାରୁ ସୁଇମିଂ ଶିକ୍ଷା କରିବା ପରେ ମନୋଜ ନାମକ ଜଣେ ଦୃଷ୍ଟିବାଧିତ ବାଳକ କେରଳର ଦୀର୍ଘତମ ନଦୀ ପାର କରିପାରିଛନ୍ତି। ଏହା ସହ ମାଲୁ ସିକା ବି ଭେମ୍ବନାଦ ହ୍ରଦ ପାର କରିବାରେ ପ୍ରଥମ ମହିଳା ହୋଇପାରିଛନ୍ତି।