ଏଇ ଭାରତରେ

ମୁମ୍ବାଇର ସବିତା ରାଓ ନାମ୍ନୀ ଜଣେ ମହିଳା ପଲିଥିନ୍‌ମୁକ୍ତ ତଥା ସ୍ବଚ୍ଛ ପରିବେଶ ଲାଗି ଅଣ୍ଟା ଭିଡ଼ିଛନ୍ତି। ୨୦୧୩ରେ ‘କ୍ଲିନ୍‌ ପ୍ଲାନେଟ୍‌’ବ୍ରାଣ୍ଡ୍‌ ଆରମ୍ଭ କରି ପରିବେଶ ଉପଯୋଗୀ ବହୁ ଟେକ୍ସଟାଇଲ ପ୍ରଡକ୍ଟ ପ୍ରସ୍ତୁତ କରୁଛନ୍ତି। ମୁଖ୍ୟତଃ ପରିବା ଓ ତେଜରାତି ଜିନିଷ ଆଣିବା ଲାଗି ସେ କପଡ଼ା ବ୍ୟାଗ୍‌ ତିଆରି କରୁଛନ୍ତି। ଲୋକମାନଙ୍କଠାରୁ ପୁରୁଣା ଶାଢି, ବେଡ୍‌ଶିଟ ଏବଂ ପୁରୁଣା ପୋଷାକ ସଂଗ୍ରହ କରି ସେ ବ୍ୟାଗ୍‌ ତିଆରି ହେଉଛି। ବ୍ୟାଗ୍‌ ବ୍ୟତୀତ ତାଙ୍କ ଉପତ୍ାଦ ମଧ୍ୟରେ ରହିଛି କପଡାର ଗିଫ୍ଟବ୍ୟାଗ, ପର୍ସ ଓ ବିଭିନ୍ନ ପ୍ରକାର ଝୁଲା। ଏହି କାର୍ଯ୍ୟରେ ସେ ମହିଳାମାନଙ୍କୁ ବି ଜୀବିକା ଯୋଗାଇ ଦେଇଛନ୍ତି। ଯେଉଁମାନେ ପୁରୁଣା ପୋଷାକ ଦାନ କରୁଛନ୍ତି ସବିତା ସେମାନଙ୍କୁ ଏହା ବଦଳରେ ଗୋଟିଏ ବ୍ୟାଗ୍‌ ମଧ୍ୟ ଦେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ସେ ୬ରୁ ୭ ହଜାର ବ୍ୟାଗ୍‌ ତିଆରି କରିପାରିଛନ୍ତି ବୋଲି କହନ୍ତି ସବିତା। ଏଥିପାଇଁ ସେ ତାଙ୍କ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ତିନୋଟି ଗ୍ରୁପ୍‌ରେ ଭାଗ କରିଛନ୍ତି। କପଡା କାଟିବାଠାରୁ ଆରମ୍ଭ କରି ସିଲାଇ ତଥା ବ୍ୟାଗ୍‌ ଉପରେ ବିଭିନ୍ନ ପ୍ୟାଚ୍‌ଓ୍ବାର୍କ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏମାନେ କରିଥାନ୍ତି। ଇ-କମର୍ସ ଜରିଆରେ ଏହା ମଧ୍ୟ ଉପଲବ୍ଧ ହୋଇଥାଏ। ଏମିତିକି ଭାରତ ସମେତ ଆମେରିକା, ୟୁରୋପ ଓ ଜାପାନରେ ‘କ୍ଲିନ୍‌ ପ୍ଲାନେଟ୍‌’ର ଚାହିଦା ବଢୁଛି ବୋଲି କହିଛନ୍ତି ସବିତା।