ଏଇ ଭାରତରେ

ଏକ ଡାକ୍ତର ଦମ୍ପତି ଆଦିବାସୀଙ୍କ ବିକାଶ ଲାଗି କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଡା. ଏମ୍‌. ରେଗି ଏବଂ ଡା. ଲଳିତା ରେଗି ତାମିଲନାଡୁର ଧରମପୁରୀ ଜିଲାର ସିଟିଲିଙ୍ଗରେ ବାସ କରୁଥିବା ଯାଯାବର ଲାମ୍ବାଡି ସମ୍ପ୍ରଦାୟର ପ୍ରାୟ ୧ ଲକ୍ଷ ଆଦିବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଆଧୁନିକ ସମାଜଠାରୁ ଦୂରରେ ଥିବା ଏହି ସମ୍ପ୍ରଦାୟର ଲୋକମାନଙ୍କୁ ମାଲାଭାସି ବା ପାହାଡ଼ି ମଣିଷ ବୋଲି କୁହାଯାଏ। ଏହି ଦମ୍ପତି ଆଦିବାସୀ ଗାଁଗୁଡିକୁ ଯାଇ ସେମାନଙ୍କ ଚିକିତ୍ସା କରୁଛନ୍ତି। ଦୀର୍ଘ ୨୫ ବର୍ଷ ହେବ ସେମାନେ ଏହି ସେବା କରି ଆସୁଛନ୍ତି। ଏଥିପାଇଁ ଡାକ୍ତର ଦମ୍ପତି ଟ୍ରାଇବାଲ ହେଲ୍‌ଥ ଇନିସିଏଟିଭ୍‌ (ଟିଏଚ୍‌ଆଇ) ଯୋଜନା ପ୍ରସ୍ତୁତ କରି ତା’ ମାଧ୍ୟମରେ ସେବା ଆଗେଇ ନେଉଛନ୍ତି। ସେମାନେ ଏହି ଲୋକମାନଙ୍କ ଲାଗି ଏକ ହସ୍ପିଟାଲ ମଧ୍ୟ କରିଛନ୍ତି। ଏବେ ସେଠାରେ ଶିଶୁ ମୃତ୍ୟୁହାର ପୂରା କମିଯାଇଛି। ଏପରିକି ଭାରତରେ ସବୁଠାରୁ କମ୍‌ ରହିଛି। ଡାକ୍ତର ଦମ୍ପତି କେବଳ ଆଦିବାସୀମାନଙ୍କ ଚିକିତ୍ସା କରୁନାହାନ୍ତି ବରଂ ସେମାନଙ୍କୁ ବଭିନ୍ନ ହସ୍ତକଳା ଉପରେ ଶିକ୍ଷା ପ୍ରଦାନ କରି ଆମତ୍ନିର୍ଭରଶୀଳ ମଧ୍ୟ କରାଉଛନ୍ତି।