ସେବା କରିବାରେ ସବୁଠାରୁ ଅଧିକ ଆନନ୍ଦ ମିଳିଥାଏ, ଏ କଥା ହୁଏତ ଅନୁଭବ କରିଛନ୍ତି ସରିତା କାଶ୍ୟପ। ସେ ଚାକିରି ଛାଡି ରାସ୍ତାକଡ଼ରେ ରହୁଥିବା ପିଲା ଓ ଭିକାରିଙ୍କୁ ଖାଇବାକୁ ଦେଉଛନ୍ତି। ସରିତା ରହୁଛନ୍ତି ଦିଲ୍ଲୀର ମୀରାବାଗ୍ରେ। ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ସେଲ୍ସଓ୍ବିମ୍ୟାନ ଭାବେ ୧୭ ବର୍ଷ ଧରି ଚାକିରି କରିବା ପରେ ତାହା ଛାଡି ଦେଇଥିଲେ। ପରେ ପଶ୍ଚିମ ଦିଲ୍ଲୀର ପୀରାଗଢିରେ ‘ଅପ୍ନା ପନ୍ ରାଜ୍ମା ଚାଓ୍ବଲ’ ଷ୍ଟଲ୍ରେ ରାସ୍ତାକଡ଼ରେ ରହୁଥିବା ଭୋକିଲା ପିଲା, ଜରିଗୋଟାଳି ତଥା ଗୃହହୀନମାନଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି। ରାଜମା-ଚାଓ୍ବଲ-ରାଇତା ବିକ୍ରି କରିବା ସିଙ୍ଗଲ ମଦର ସରିତାଙ୍କ ମୁଖ୍ୟ ଜୀବିକା ହେଲେ ମଧ୍ୟ ଏହାର ଏକ ବଡ ଅଂଶ ସେ ଭୋକିଲାଙ୍କୁ ଦେଇଥାନ୍ତି। ଦାରିଦ୍ର୍ୟକୁ ଖୁବ୍ ନିକଟରୁ ଦେଖିଥିବା ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ସରିତା ସ୍ବଳ୍ପ ଆୟରେ ତାଙ୍କ ଝିଅକୁ ବହୁକଷ୍ଟରେ ବଡ଼ କରିଛନ୍ତି। ସେ ପ୍ରଥମେ ଅଧିକ ରୋଷେଇ କରି ପଶ୍ଚିମ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଇବାକୁ ଯୋଗାଉଥିଲେ। ପରେ ସେ ‘ଅପ୍ନା ପନ୍ ରାଜ୍ମା ଚାଓ୍ବଲ’ ଷ୍ଟଲ୍ ଖୋଲି ଅବହେଳିତ ପିଲାମାନଙ୍କୁ ଖାଇବାକୁ ଦେଇଥିଲେ। ଦୈନିକ ଭୋର୍ ୪ଟାରୁ ଉଠି ଘରକାମ ସାରି ସରିତା ରାଜମା ଚାଓ୍ବଲ ଓ ରାଇତା ତିଆରି କରି ସ୍କୁଟର୍ରେ ତାହାକୁ ପୀରାଗଢି ବସ୍ଷ୍ଟାଣ୍ଡ ପାଖ ତାଙ୍କ ଷ୍ଟଲ୍କୁ ନେଇଥାନ୍ତି। ସେଠାରେ ସେ ୩ରୁ ୪ ଘଣ୍ଟା ରହିବା ଭିତରେ ଲୋକମାନଙ୍କୁ ମାତ୍ର ୭୦-୮୦ଟି ପ୍ୟାକେଟ ବିକ୍ରି କରିବା ସହ ଆଉସବୁ ଅବହେଳିତମାନଙ୍କୁ ଖାଇବାକୁ ଦେଇଥାନ୍ତି।