ଏଇ ଭାରତରେ

ଚଳିତ ଲୋକ ସଭା ନିର୍ବାଚନରେ ନରେନ୍ଦ୍ର ମୋଦି ତଥା ତାଙ୍କ ନେତୃତ୍ୱାଧୀନ ଭାଜପାର ବିଜୟରେ ଖୁସି ହୋଇ କେତେକ ବ୍ୟକ୍ତି ଭିନ୍ନରୁଚିର କାର୍ଯ୍ୟକ୍ରମ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉତ୍ତରପ୍ରଦେଶର ଜଣେ ମୁସଲମାନ ମହିଳା ତାଙ୍କ ନବଜାତ ସନ୍ତାନର ନାମ ମୋଦିଙ୍କ ନାମାନୁସାରେ ନାମିତ କରିଛନ୍ତି। ଏଥିପାଇଁ ତାଙ୍କ ସମ୍ପ୍ରଦାୟ ପକ୍ଷରୁ ବିରୋଧ କରାଯାଇଥିଲେ ମଧ୍ୟ ତାକୁ ସେ ଖାତିର କରିନାହାନ୍ତି। ନରେନ୍ଦ୍ର ମୋଦିଙ୍କ ବିଜୟରେ ଉଲ୍ଲସିତ ହୋଇ ଜଣେ ଦଳୀୟ କର୍ମକର୍ତ୍ତା ୩ ଘଣ୍ଟା ମାଗଣା ଜଳଖିଆ ବାଣ୍ଟିଛନ୍ତି। ଏପରି ଏକ ଘଟଣା ଘଟିଛି ଛତିଶଗଡ଼ର ବିଳାସପୁରରେ। ଏହି କର୍ମକର୍ତ୍ତା ଏକ ଜଳଖିଆ ଦୋକାନକୁ ଯାଇ ଲୋକଙ୍କୁ ଖାଦ୍ୟସାମଗ୍ରୀ ଦେବାକୁ ଦୋକାନୀକୁ ବରାଦ କରିଥିଲେ। ଏହି ସମୟରେ ଯିଏ ସେହି ବାଟଦେଇ ଯାଉଥିଲେ ସମସ୍ତେ ଜଳଖିଆ ଖାଇବାର ସୁଯୋଗ ପାଇଥିଲେ। ତେବେ ୩ ଘଣ୍ଟା ମଧ୍ୟରେ ଲୋକମାନେ ୨୦ ହଜାର ଟଙ୍କାର ଜଳଖିଆ ଖାଇଥିବା କୁହାଯାଉଛି। ସ୍ଥାନୀୟ କର୍ମକର୍ତ୍ତା ବିକାଶ ମିଶ୍ରା ଏଭଳି କରି ଭାଜପାର ବିଜୟ ସମ୍ପର୍କରେ ପ୍ରଚାର ପ୍ରସାର କରିଥିଲେ। ଏହିି ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।