ଏଇ ଭାରତରେ

ଘରେ ପ୍ଲାଷ୍ଟିକ୍‌ ଉପକରଣର ବ୍ୟବହାର କମ୍‌ କରି ପ୍ରଦୂଷଣ ଦୂର କାରିବା ଲାଗି ଆସାମର ଜଣେ ବ୍ୟକ୍ତିଙ୍କ ଉଦ୍ୟମ ପ୍ରଶଂସନୀୟ। ଗୁଆହାଟୀ ନିବାସୀ କେଶବାନନ୍ଦ ବୋରା ବାଉଁଶରେ ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ତିଆରି କରି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଦୂର କରିବାର ପ୍ରୟାସ କରିବା ସହ ଲୋକମାନଙ୍କୁ ଜୀବିକା ଯୋଗାଇ ଦେଉଛନ୍ତି। ତାଙ୍କୁ ବର୍ତ୍ତମାନ ୩୦ ବର୍ଷ ବୟସ। ବାଉଁଶର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥିବାରୁ ଏଥିରେ କୌଣସି କେମିକାଲ ଦିଆଯାଉନାହିଁ ଓ ଏହାକୁ ବ୍ୟବହାର କରିବା ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଉତ୍ତମ ବୋଲି ସେ କହିଛନ୍ତି। ଏହା ଏବେ ପ୍ଲାଷ୍ଟିକ୍‌ ଉପକରଣର ବିକଳ୍ପ ହୋଇପାରିଛି। ଏହି ସାମଗ୍ରୀଗୁଡିକୁ ଗୁଆହାଟୀର ବାଉଁଶ କାରିଗରମାନଙ୍କ ଦ୍ୱାରା ତିଆରି କରାଯାଉଛି। କେଶବାନନ୍ଦ ଏହାକୁ ମଧ୍ୟ ଅନଲାଇନ ମାର୍କେଟ ସହ ଯୋଡିଛନ୍ତି। ଏହି ସାମଗ୍ରୀ ପ୍ରସ୍ତୁତ କରିବା ସହ ସେ ସ୍ଥାନୀୟ କାରିଗରମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରି ସ୍ବାବଲମ୍ବୀ କରାଇବାରେ ଲାଗିଛନ୍ତି। ଏହାଦ୍ୱାରା ୫୦୦ରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହୋଇସାରିଲେଣି। ଏଥିପାଇଁ ସେ ୨୦୧୬ରେ ବୁମ୍ବରକ୍ରାଫ୍ଟ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି କାର୍ଯ୍ୟ କରିଆସୁଛନ୍ତି। ବୁମ୍ବରକ୍ରାଫ୍ଟ ଏବେ ୪୦ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ବାଉଁଶ ନିର୍ମିତ ଜିନିଷ ପ୍ରସ୍ତୁତ କରୁଛି ଓ ଏବେ ସୁଦ୍ଧା ୨୫୦୦ ଉପତ୍ାଦ ବିକ୍ରି କରିସାରିଲାଣି। ଲଭ୍‌ଲୀ ପ୍ରଫେଶନାଲ ୟୁନିଭର୍ସିଟିରୁ ବିଟେକ୍‌ ହାସଲ କରିବା ପରେ କେଶବ ଏକ ଅନ୍‌ଲାଇନ୍‌ ଗ୍ରୋସରୀ ଶପିଂ ଏଣ୍ଟରପ୍ରାଇଜ୍‌ରେ କାମ କରୁଥିଲେ। ପରେ ସେ ଗୁଆହାଟୀ ଫେରି ଏହି ଏହି କାର୍ଯ୍ୟରେ ଲାଗିଛନ୍ତି ଓ ଏଥିରେ ୧ ହଜାର ଲୋକଙ୍କୁ ଜୀବିକା ଯୋଗାଇଦେବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ବୋରା। ତାଙ୍କର ଏପରି ସାଧୁ ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଯୁବବର୍ଗ ତାଙ୍କଠାରୁ ପ୍ରେରଣା ଗ୍ରହଣ କରି ପରିବେଶ ପ୍ରଦୂଷଣକୁ ରୋକିବା ସହ ନିଜ ଗୋଡ଼ରେ ନିଜେ ଠିଆ ହେବା ଉଚିତ।