ଏଇ ଭାରତରେ

ଅଭାବ ସେବା ପଥରେ ବାଧା ସାଜେନି ଯାହା ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ଇରାପ୍ପା ନାଏକ। ସେ ଅବହେଳିତ ପିଲାମାନଙ୍କ ପାଇଁ ଏକ ସ୍କୁଲ୍‌ ଖୋଲି ସେଠାରେ ୫୦୦ ପିଲାଙ୍କୁ ମାଗଣାରେ ପଢାଉଛନ୍ତି। ଇରାପ୍ପାଙ୍କୁ ବର୍ତ୍ତମାନ ବୟସ ୫୧। ସେ ୨୦ ବର୍ଷ କଠିନ ପରିଶ୍ରମ ବଳରେ ଟଙ୍କା ସଞ୍ଚୟ କରି ଏହି ସ୍କୁଲ୍‌ ଖୋଲିଛନ୍ତି। ଇରାପ୍ପା ପ୍ରଥମେ ୨୦୦୦ରେ ମହାରାଷ୍ଟ୍ରର ମିରାଜ ସହର ନିକଟରେ ୨୦ଜଣ ପିଲାଙ୍କୁ ନେଇ ‘କ୍ରାନ୍ତିବୀର ଉମାଜୀ ନାଏକ ହାଇସ୍କୁଲ’ଖୋଲିଥିଲେ। ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଦିନ ମଜୁରିଆ ଓ ବର୍ଜ୍ୟବସ୍ତୁ ଗୋଟାଉଥିବା ଲୋକଙ୍କ ପିଲା। ଇରାପ୍ପାଙ୍କ ମାତା ପିତା ଶ୍ରମିକ ଥିଲେ। ଅଭାବ ଯୋଗୁ ତାଙ୍କ ଦୁଇ ଭାଇ ପାଠ ଛାଡି ଦେଇ ଶମିକ ଭାବେ କାର୍ଯ୍ୟ କରି ଇରାପ୍ପାଙ୍କୁ ପଢାଇଛନ୍ତି। ଏହା ଫଳରେ ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହୋଇପାରିଛନ୍ତି। ଭାଇମାନେ ତାଙ୍କୁ ପଢିବା ପାଇଁ ଟଙ୍କା ଯୋଗାଇଥିବାରୁ ସେ ଅଭାବୀ ପିଲାମାନଙ୍କୁ ପଢାଇବା ଲାଗି ଚାହିଁଥିତ୍ଲେ ବୋଲି କହନ୍ତି ଇରାପ୍ପା। ସେ ଚାକିରି କରିଥିଲେ ଓ ତା’ ଭିତରୁ ସମୟ ବାହାର କରି ପିଲାମାନଙ୍କୁ ପଢାଉଥିଲେ। ଏବେ ଚାକିରି ଛାଡି ଏହି କାର୍ଯ୍ୟର ଲାଗିଛନ୍ତି। ଏହି ସ୍କୁଲ୍‌ରେ ଏବେ ପାଖାପାଖି ୫୦୦ ପିଲା ମଗଣାରେ ପଢୁଛନ୍ତି। ସେ ପଢାଇବା ଲାଗି ଶିକ୍ଷକମାନଙ୍କୁ ବି ନିଯୁକ୍ତି ଦେଇଛନ୍ତି ଓ ସେମାନଙ୍କୁ ଦରମା ମଧ୍ୟ ଦେଉଛନ୍ତି। ପିଲାମାନଙ୍କୁ ୟୁନିଫର୍ମ ମଧ୍ୟ ଯୋଗାଇ ଦେଉଛନ୍ତି। ଉକ୍ତ ସ୍କୁଲ୍‌ରୁ ପାସ କରିଥିବା ପିଲାମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି ଓବ୍ୟବସାୟ କରୁଛନ୍ତି। ଏବେ ସେମାନେ ସ୍କୁଲକୁ ଅର୍ଥଦାନ କରୁଛନ୍ତି ,ଯାହାଫଳରେ ସ୍କୁଲ୍‌ ଚାଲିପାରୁଛି ବୋଲି କହନ୍ତି ଇରାପ୍ପା।