ଏଇ ଭାରତରେ

କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଚାଲିଛି। ଭାରତରେ ଏହାର ମୁକାବିଲା କରିବା ଲାଗି ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତଥାପି କରୋନା ସଂକ୍ରମଣ ଦେଶରେ ସଂଖ୍ୟ ବୃଦ୍ଧି ପାଉଥିବାବେଳେ ଲଦାଖରେ ଜଣେ ବୌଦ୍ଧ ସନ୍ନ୍ୟାସୀ ଏହି ଯୁଦ୍ଧରେ କରୋନାକୁ ହରାଇବା ଲାଗି ଆଗକୁ ଆସିଛନ୍ତି। ୪୯ ବର୍ଷୀୟ ସନ୍ନ୍ୟାସୀ ଲାମା ଥୁପ୍‌ସ୍ତାନ୍‌ ଚୋଗ୍ୟାଲ ଲଦାଖ ମୁଖ୍ୟ ସହରଠାରୁ ୮ କିଲୋମିଟର ଦୂରରେ ଲଦାଖ ହାର୍ଟ ଫାଉଣ୍ଡେଶନ ପ୍ରତିଷ୍ଠା କରି ଲୋକମାନଙ୍କୁ ମଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏବେ ଲଦାଖରେ ୧୩ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ କେସ ୍‌ମିଳିବା ପରେ ଚୋଗ୍ୟାଲ ତାଙ୍କ ହସ୍ପିଟାଲରେ ସେବା ଯୋଗାଇ ଦେଉଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ତାଙ୍କୁ ସହଯୋଗ କରୁଛି। ଏଠାରେ କରୋନା ସନ୍ଦିଗ୍ଧଙ୍କ ଉପରେ ଅନୁଧ୍ୟାନ କରାଯାଉଛି। ହସ୍ପିଟାଲର ଡାକ୍ତର, ନର୍ସ, ସଫେଇ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଚାଳକମାନେ ବିନା ଭୟରେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି। ଏହି ସେବା ସ୍ଥାନୀୟ ପ୍ରଶାସନକୁ ଏମାନେ ଦିନରାତି ଯୋଗାଇଦେଉଛନ୍ତି। ଲେହ ନିକଟରେ ସ୍ପିଟୁକ ଗାଁରେ ଚୋଗ୍ୟାଲଙ୍କ ଜନ୍ମ। ପୁରୁଷାନୁକ୍ରମେ ତାଙ୍କ ପରିବାର ପାରମ୍ପରିକ ଓଷଧୀୟ ଚିକିତ୍ସା ବ୍ୟବସ୍ଥାକୁ ଆପଣାଇ ଲୋକମାନଙ୍କ ସେବା କରି ଆସୁଛନ୍ତି। କିନ୍ତୁ ଚୋଗ୍ୟାଲ ଜଣେ ଜଣେ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଥିଲେ । ପରେ ୧୯୯୭ରେ ଲଦାଖ ହାର୍ଟ ଫାଉଣ୍ଡେଶନ ସୋସାଇଟିି ପ୍ରତିଷ୍ଠା କରି ଲୋକମାନଙ୍କ ସେବାରେ ଲାଗିଲେ ।
ପରେ ୨୦୦୨ରେ ସେ ହସ୍ପିଟାଲ ନିର୍ମାଣ ଆରମ୍ଭ କରି ୨୦୦୮ରେ ଶେଷ କରିଥିଲେ । ଏହା ମାଧ୍ୟମରେ ସେ ହୃଦ୍‌ରୋଗ ସମ୍ପର୍କରେ ସଚେତନତା ଅଭିଯାନ ଆୟୋଜନ କରୁଛନ୍ତି ଓ ଏହି ହସ୍ପିଟାଲରେ ଏଯାବତ୍‌ ୩୦୦ ଦୃଦରୋଗୀଙ୍କ ସର୍ଜରୀ କରାଯାଇଛି। ଏଠାରେ ଅନ୍ୟ ରୋଗର ଚିକିତ୍ସା ମଧ୍ୟ କରାଯାଉଛି। ଏବେ କରୋନା ମୁକାବିଲା ପାଇଁ ସହଯୋଗ କରି ଚୋଗ୍ୟାଲ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।