ଏଇ ଭାରତରେ

ଭାରତରେ ଲକ୍‌ଡାଉନ ନିୟମ ଭଙ୍ଗ କରିବା ଅଭିଯୋଗରେ ଲୋକମାନଙ୍କୁ ପୋଲିସ ଦଣ୍ଡ ଦେବା ଦୃଶ୍ୟ ସୋସିିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କିନ୍ତୁ ଦିଲ୍ଲୀର ଜଣେ ପୋଲିସ ଅଫିସର୍‌ ଅବହେଳିତ ଲୋକମାନଙ୍କ ଯନତ୍ ନେବାରେ ଲାଗିଛନ୍ତି। ଡିଫେନ୍ସ କଲୋନୀରେ ଥିବା ପୋଲିସ ଷ୍ଟେଶନର ଇନଚାର୍ଜ ଷ୍ଟେଶନ ହାଉସ ଅଫିସର(ଏସ୍‌ଏଚ୍‌ଓ) ଅରବିନ୍ଦ କୁମାର ଏଭଳି ସେବାରେ ଲାଗିଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ ୪୮। ରହୁଛନ୍ତି ଦକ୍ଷିଣ ଦିଲ୍ଲୀରେ। ଥାନା ପଛପଟେ ଇନ୍ଦିରା କ୍ୟାମ୍ପ ବସ୍ତି ଅଞ୍ଚଳର ଦିନମଜୁରିଆ, ସଫାଇ କର୍ମଚାରୀ ଓ ଅନ୍ୟ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପରିବାରକୁ ସେ ଖାଦ୍ୟ ଯୋଗାଉଛନ୍ତି। ପ୍ରାୟ ୩୫୦ ପରିବାର ପାଖରେ ରାଶନ କାର୍ଡ ନ ଥିବା ଜାଣିବା ପରେ ସେ ଥାନା ତରଫରୁ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି। ସରକାର ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ଅରବିନ୍ଦ ଏଭଳି ସେବା ଜାରି ରଖିଛନ୍ତି। ପ୍ରତ୍ୟେକ ଫୁଡ୍‌ ବ୍ୟାଗରେ ୨ କେଜି ଚାଉଳ,୨ କେଜି ଅଟା, ୨ କେଜି ଡାଲି ସହ ୧ ଲିଟର ତେଲ ମଧ୍ୟ ଦେଉଛନ୍ତି। ପିଲାମାନଙ୍କୁ ବି ଖାଦ୍ୟ ଯୋଗାଇ ଦିଆଯାଉଛିି। ଲୋକମାନଙ୍କୁ ମାସ୍କ, ଗ୍ଲୋବ୍‌ ଓ ସାନିଟାଇଜର ମଧ୍ୟ ବାଣ୍ଟୁଛନ୍ତି। ଅରବିନ୍ଦଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଡିଫେନ୍ସ କାଲୋନୀ ମଧ୍ୟ ଆଗେଇ ଆସିଛି। ସେମାନେ ଖାଦ୍ୟ ସାମଗ୍ରୀ ଦାନ କରୁଛନ୍ତି। ଅରବିନ୍ଦ ଏହି କାର୍ଯ୍ୟରେ କେତେଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରିଛନ୍ତି। ସେମାନେ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରି ଏହା ମାଧ୍ୟମରେ ଲୋକଙ୍କ ଜରୁରୀ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇପାରୁଛନ୍ତି। ଖାଦ୍ୟ ସାମଗ୍ରୀ ସଂଗ୍ରହ କରାଯିବା ପରେ ପୋଲିସ୍‌ ଗାଡିରେ ତାହାକୁ ନିଆଯାଉଛି। ଦିନକୁ ଦୁଇ ଥର ସକାଳ ୧୧.୩୦ରେ ଓ ସନ୍ଧ୍ୟା ୫ଟାରେ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଯାଉଛି।