ଏଇ ଭାରତରେ

ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଭୟଙ୍କର ପରିସ୍ଥିତି ନ ଉପୁଜିବା ଲାଗି ଲକ୍‌ଡାଉନ୍‌କୁ ବି କଡ଼ାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା କରୋନାକୁ ମୁକାବିଲା କରିବା ଲାଗି କେତେ ପ୍ରସ୍ତୁତ ତାହାକୁ ନେଇ ସଭିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମେଡିକାଲଗୁଡିକରେ ଅଧିକ ବେଡ୍‌ ବ୍ୟବସ୍ଥା କରାଯିବା ସହ ଭେଣ୍ଟିଲେଟର ଉପତ୍ାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତର ବହୁ ବଡ଼ ବଡ଼ କମ୍ପାନୀ ସେମାନଙ୍କ ଫ୍ୟାକ୍ଟ୍ରୀରେ ଭେଣ୍ଟିଲେଟର ତିଆରି କରିବା ଆରମ୍ଭ କରିଦେଇଥିବାବେଳେ ପୁଣେରେ କେତେଜଣ ଯୁବ ଇଞ୍ଜିନିୟର ଭେଣ୍ଟିଲେଟର ନିର୍ମାଣ କରିବା ପାଇଁ ରାତି ଦିନ ଏକା କରିଦେଇଛନ୍ତି। ସେମାନେ ଏନ୍‌ଓସିସିଏ ରୋବୋଟିକ୍ସ ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ ଷ୍ଟାର୍ଟଅପ ପ୍ରତିଷ୍ଠା କରି ଭେଣ୍ଟିଲେଟର ନିର୍ମାଣ କରୁଛନ୍ତି। ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ନିଖିଲ କୁରେଲେ କହନ୍ତି, ସେମାନେ ତିଆରି କରୁଥିବା ପୋର୍ଟେବଲ ଭେଣ୍ଟିଲେଟରର ଦାମ ମାତ୍ର ୫୦ ହଜାର ଟଙ୍କା ରହିବ। କୋଭିଡ-୧୯ ପୀଡିତଙ୍କ ଲାଗି ସବୁପ୍ରକାର ସୁବିଧା ଏଥିରେ ଉପଲବ୍ଧ ହେବ। ନିଖିଲ ଓ ତାଙ୍କ ଟିମ୍‌ ପ୍ରଥମ ପର୍ଯ୍ୟାୟରେ ୧୦ରୁ ୨୦ଟି ଭେଣ୍ଟିଲେଟର ତିଆରି କରୁଛନ୍ତି। ଡାକ୍ତର ଓ ଟେଷ୍ଟ ଲାବ୍‌ର ମତନେଇ ଏହାକୁ ନିର୍ମାଣ କରାଯାଉଛି। ଏହା କେବଳ କୋଭିଡ-୧୯ ରୋଗୀଙ୍କ ପାଇଁ ନିର୍ମାଣ କରାଯାଉଛି ଓ ଏହା ସବୁ ରୋଗୀଙ୍କ ଲାଗି ବ୍ୟବହୃତ ହେଉଥିବା ଭେଣ୍ଟିଲେଟର ସହ ସମାନ ନୁହେଁ ବୋଲି କହନ୍ତି ନିଖିଲ। ଏବେ ବ୍ୟବହୃତ ଭେଣ୍ଟିଲେଟରର ଦାମ୍‌ ୧୫-୨୦ ଲକ୍ଷ ରହିଥିବାବେଳେ ଏହାର ମୂଲ୍ୟ ୫୦ ହଜାର ରହିଛି। ଦେଶରେ ଏବେ ମୋଟରେ ପାଖାପାଖି ୫୦ ହଜାର ଭେଣ୍ଟିଲେଟର ରହିଛି। ତେବେ କରୋନା ସଂକ୍ରମଣ ବିରୋଧରେ ଏହି ଯୁବ ଇଞ୍ଜିନିୟରଙ୍କ ଲଢେଇ ନିଶ୍ଚିତ ପ୍ରଶଂସନୀୟ।