ଏଇ ଭାରତରେ

କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣ ସାରା ବିଶ୍ୱକୁ ସଙ୍କଟରେ ପକାଇଛି। ଦୈନିକ ହଜାର ହଜାର ଲୋକ ଏହି ସଂକ୍ରମଣରେ ଶିକାର ହେଉଛନ୍ତି ଓ ମୃତ୍ୟୁ ମୁଖରେ ପଡୁଛନ୍ତି। ଭାରତରେ ଏହା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ସରକାର ଲକ୍‌ଡାଉନ ଅବଧି ମଧ୍ୟ ବୃଦ୍ଧି କରିଛନ୍ତି। ଏହି ସମୟରେ ଦିନ ମଜୁରିଆମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସରକାର ସହାୟତା ଯୋଗାଇ ଦେଇଥିବା ସତ୍ତ୍ୱେ କେତେକ ଲୋକ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି। ଏମାନଙ୍କ ମଧ୍ୟରେ କେରଳର କୃଷକ ଯଦୁ ଏସ୍‌.ବାବୁଙ୍କ ବଦାନ୍ୟତା ଚର୍ଚ୍ଚାର ବିଷୟ ପାଲଟିଛି। ବାବୁଙ୍କ ବୟସ ୨୫। ଇଡ୍ଡୁକି ଜିଲାର ଅନାକ୍କାରା ଗାଁରେ ରହନ୍ତି ସେ। ୧.୫ ଏକର ଜମିରେ ଜୈବିକ ପଦ୍ଧତିରେ ପରିବା ଚାଷ କରିଛନ୍ତି। ତାଙ୍କ ଜମିରୁ ଏବେ ଯେତେ ପରିବା ଆମଦାନୀ ହେଉଛି ସେସବୁକୁ ମାଗଣାରେ ଶ୍ରମିକମାନଙ୍କୁ ଦେଉଛନ୍ତି। ଯଦୁୁ ଫସଲରେ ରାସାୟନିକ ସାର, କୀଟନାଶକ ବ୍ୟବହାର କରନ୍ତିନି। ଏଥିପାଇଁ ପରିବା ବ୍ୟବସାୟୀମାନେ ଚଢ଼ା ଦରରେ ପରିବା କିଣିବାକୁ ଚାହଁୁଥିଲେ ବି ଲକ୍‌ଡାଉନ ସମୟରେ ସେ ପରିବା ବିକ୍ରି ବନ୍ଦ କରିଦେଇ ଦିନ ମଜୁରିଆମାନଙ୍କୁ ବାଣ୍ଟି ଦେଉଛନ୍ତି। ସେ ଆମ୍ମାକୋରେମ୍ମା ଏନ୍‌ଜିଓ ମାଧ୍ୟମରେ ଶ୍ରମିକମାନଙ୍କୁ ପରିବା ଦେଉଛନ୍ତି। କେବଳ ଏତିକି ନୁହେଁ,ଯଦୁ ଓ ତାଙ୍କ ସାଥୀମାନେ ଲୋକଙ୍କ ନିକଟରେ ଗ୍ରସେରୀ ବି ପହଞ୍ଚାଇଦେଉଛନ୍ତି। ମେରାଇନ୍‌ ସାଇନ୍ସରେ ଡିଗ୍ରୀ ହାସଲ କରିବାପରେ ଭଲ ଦରମାରେ ଚାକିରି କରିବାର ସୁଯୋଗ ରହିଥିଲେ ବି ସେ ଚାଷ କରିବାକୁ ପସନ୍ଦ କରିଛନ୍ତି। ଲକ୍‌ଡାଉନ ସମୟରେ ଭୋକରେ ରହୁଥିବା ଲୋକମାନଙ୍କୁ ସାହାଯ୍ୟ କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହନ୍ତି ଯଦୁ।