ଏଇ ଭାରତରେ

ମଣିଷ ଅର୍ଥ ସଞ୍ଚୟ କରେ ତା’ ଭବିଷ୍ୟତ ପାଇଁ। କିନ୍ତୁ ଏକ କୃଷକ ଦମ୍ପତି ଜୀବନ ସାରା ସଞ୍ଚୟ କରିଥିବା ଅର୍ଥକୁ ଲକଡାଉନ୍‌ ସମୟରେ ଅସହାୟମାନଙ୍କୁ ଖୁଆଇବାରେ ବ୍ୟୟ କରୁଛନ୍ତି। ପବୁରାମ ମନ୍ଦା ଓ ତାଙ୍କ ସ୍ତ୍ରୀ ମୁନି ଦେବୀଙ୍କ ଏଭଳି ମହତ୍‌ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଏହି ଦମ୍ପତି ରହନ୍ତି ରାଜସ୍ଥାନର ଯୋଧପୁରରେ। ସେମାନେ ଯୋଧପୁରର ତିନଓ୍ବାରୀ ତହସିଲର ପାଖାପାଖି ୮୦ଟି ଗାଁ ଗରିବ ପରିବାରକୁୁ ରାଶନ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହି କାର୍ଯ୍ୟରେ ତାଙ୍କ ଦୁଇ ପୁଅ ତାଙ୍କୁ ସାହାଯ୍ୟ କରୁଛନ୍ତି । ସାନ ପୁଅ ଡ. ଭଗିରଥ ମନ୍ଦା ଦିଲ୍ଲୀର ଡେପୁଟି ଇନକମ୍‌ ଟ୍ୟାକ୍ସ କମିଶନର ଅଛନ୍ତି। ସ୍ଥାନୀୟ ପ୍ରଶାସନ ମଧ୍ୟ ସହଯୋଗ କରୁଛି। ମନ୍ଦା ଦମ୍ପତି ଚାଷରୁ ରୋଜଗାର କରି ପିଲାଙ୍କୁ ପଢ଼ାଇ ମଣିଷ କରିବା ପରେ ଯେଉଁ ଅର୍ଥ ସଞ୍ଚୟ କରିଥିଲେ ତାହାକୁ ଏହି କାର୍ଯ୍ୟରେ ଲଗାଇଦେଇଛନ୍ତି। ଏହି ଦମ୍ପତି ୮୦ଟି ଗାଁରେ ୬ ହଜାରରୁ ଊର୍ଦ୍ଧ୍ୱ ଗରିବ ପରିବାରକୁ ଚିହ୍ନଟ କରି ରାଶନ ସାମଗ୍ରୀ ଯୋଗାଇ ଦେବାର ଯୋଜନା କରିଛନ୍ତି ।
ଏହି କାର୍ଯ୍ୟ ଏପ୍ରିଲ ୫ରୁ ଆରମ୍ଭ କରାଯାଇଛି ଓ ଏବେ ସୁଦ୍ଧା ୨୫ଟି ଗାଁର ୨,୨୦୦ରୁ ଊର୍ଦ୍ଧ୍ୱ ପରିବାରକୁ ରାଶନ ସାମଗ୍ରୀ ଯୋଗାଇ ଦିଆଗଲାଣି। ସେମାନେ ପ୍ରତି ପରିବାରକୁ ୧୦ କେଜି ଅଟା,୧ କେଜି ଡାଲି,୧ ଲିଟର ଖାଇବା ତେଲ,ବିସ୍କୁଟ ତଥା ହଳଦୀ, ଲଙ୍କା ଓ ଧନିଆଗୁଣ୍ଡ ଯୋଗାଇ ଦେଉଛନ୍ତି। କୋଭିଡ୍‌-୧୯ର ମୁକାବିଲା କରିବା ଲାଗି ଲୋକମାନଙ୍କୁ ଏମାନେ ସାନିଟାଇଜର ଓ ସାବୁନ ମଧ୍ୟ ଦେଉଛନ୍ତି।