ଏଇ ଭାରତରେ

ମହାରାଷ୍ଟ୍ରରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ଦିନରାତି କାମରେ ଲାଗିଛନ୍ତି। ଲକ୍‌ଡାଉନରେ ପୋଲିସର ମନୋବଳ ବୃଦ୍ଧି କରିବା ତଥା ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଥାନାଗୁଡ଼ିକରେ ସାନିଟାଇଜିଂ ଟନେଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତ୍ୟେକ ୟୁନିଟ୍‌ ପାଇଁ ପାଖାପାଖି ୫ ଲକ୍ଷ ଟଙ୍କା ବ୍ୟୟ ହେବ ଓ ଏହା ଗୋଟିଏ ସପ୍ତାହରେ ପ୍ରତିଷ୍ଠା କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଥିଲେ। କିନ୍ତୁ ରମେଶ ହିର୍ଭି ନାମକ ଜଣେ କୃଷକ ଏହାକୁ ୧୦ ହଜାର ଟଙ୍କାରୁ କମ୍‌ରେ ଓ ଦୁଇ ଦିନ ମଧ୍ୟରେ ନିର୍ମାଣ କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ସେ ହାର୍ଡଓ୍ବେର ଉପକରଣ, ଇରିଗେସନ ନୋଜଲ୍‌ ବ୍ୟବହାର କରିଛନ୍ତି। ଅହମ୍ମଦନଗରରେ ରୁହନ୍ତି ହିର୍ଭି। ତାଙ୍କର ଏକ କୃଷି ପରାମର୍ଶ କେନ୍ଦ୍ର ରହିଛି। ପୁଣେର ଡେପୁଟି କମିଶନର ଅଫ୍‌ ପୋଲିସ ସୁହାସ ବଓ୍ବାଚେ ହର୍ଭିଙ୍କୁ ଟନେଲ ନିର୍ମାଣ କରିବାର ସୁଯୋଗ ଦେଇଥିଲେ। ଟନେଲ ନିର୍ମାଣ ଲାଗି ବିଶେଷଜ୍ଞମାନଙ୍କ ଦ୍ୱାରା ନିର୍ଦ୍ଧାରିତ ୫ ଲକ୍ଷ ଟଙ୍କାର ମାତ୍ର ୧.୭ ପ୍ରତିଶତ ଟଙ୍କାରେ ହିର୍ଭି ଏହାକୁ ନିର୍ମାଣ କରିବା ପରେ ସବୁ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି। ନିଜସ୍ବ ଜ୍ଞାନକୌଶଳ ଉପଯୋଗ କରି ହିର୍ଭି ଏହା କରିପାରିଛନ୍ତି। ସେ ଦୁଇ ପ୍ରକାର ଟନେଲ ନିର୍ମାଣ କରିଛନ୍ତି। ୫ ଫୁଟ ଚଉଡ଼ା,୮ ଫୁଟ୍‌ ଲମ୍ବ ଓ ୬ ଫୁଟ୍‌ ଉଚ୍ଚ ବିଶିଷ୍ଟ ଟନେଲ ପାଇଁ ଖର୍ଚ୍ଚ ହୋଇଛି ୮,୫୦୦ ଟଙ୍କା ଏବଂ ୨୦ ଫୁଟ ଲମ୍ବ ,ଚଉଡା ଓ ଉଚ୍ଚର ଆଉ ଏକ ଟନେଲ ଲାଗି ବ୍ୟୟ ହୋଇଛି ୩୦ ହଜାର ଟଙ୍କା। ଏହି ସବୁ ସାନିଟାଇଜିଂ ଟନେଲକୁ ବସାଯିବା ପରେ ପ୍ରତିଦିନ ହଜାର ହଜାର ଲୋକ ମଧ୍ୟ ଏହାଦ୍ୱାରା ଉପକୃତ ହେଉଛନ୍ତି।