ଏଇ ଭାରତରେ

ସେବା ଓ ଭଲ ପାଇବା ବଳରେ ହିଂସ୍ର ଜନ୍ତୁମାନେ ବି ମଣିଷର ବନ୍ଧୁ ପାଲଟିଯାଆନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳର ପାଲାକ୍କଡାସ୍ଥିତ ସାଇଲେଣ୍ଟ୍‌ ଭ୍ୟାଲି ନ୍ୟାଶ୍‌ନାଲ ପାର୍କରେ। ଏହି ଉଷ୍ଣମଣ୍ଡଳୀୟ ଜଙ୍ଗଲରେ ଦୀର୍ଘ ୩୩ ବର୍ଷ ଧରି ରହୁଛନ୍ତି ମ୍ୟାରି। ପିଲାବେଳୁ ସେ ଜଙ୍ଗଲ ସଂରକ୍ଷଣ କାର୍ଯ୍ୟରେ ଲାଗିଛନ୍ତି। ସତୁରି ଦଶକରେ ମ୍ୟାରିଙ୍କ ବାପା ଲେଚିଆପ୍ପାନ ପରିବେଶବିଜ୍ଞାନୀ ଓ ସଂରକ୍ଷକମାନଙ୍କୁ ସାହାଯ୍ୟ କରୁଥିଲେ। ମ୍ୟାରି ୭ ଶ୍ରେଣୀରୁ ପାଠ ଛାଡି ଦେଇ ତାଙ୍କ ବାପାଙ୍କ ସହ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ। ୧୬ ବର୍ଷ ବୟସରେ ଜଙ୍ଗଲର ଅସ୍ଥାୟୀ ଜଗୁଆଳି ଭାବେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ସେ ତାଙ୍କ ବାପାଙ୍କ ସହ ବିଭିନ୍ନ ସ୍ଥାନକୁ ବି ଯାଉଥିଲେ ଓ ବିରଳ ପ୍ରଜାତିର ଜୀବଙ୍କୁ ଠାବ କରିବା ସହ ସେଗୁଡିକର ନାମ ବି ଜାଣୁଥିଲେ। ବର୍ତ୍ତମାନ ସେ ପର୍ଯ୍ୟଟକ, ପରିବେଶବିତ୍‌ ତଥା ଗବେଷକମାନଙ୍କୁ ବିରଳ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦଗୁଡିକୁ ଚିହ୍ନାଇ ପାରୁଛନ୍ତି। ପ୍ରାୟ ୧୩୪ ପ୍ରକାରର ଅର୍ଚିଡ୍‌,ପକ୍ଷୀ ଓ କୀଟମାନଙ୍କ ନାଁ ବି ମନେ ରଖିଛନ୍ତି। ମ୍ୟାରିଙ୍କୁ ବର୍ତ୍ତମାନ ବୟସ ୪୮। ଦୀର୍ଘବର୍ଷ ହେବ ଜଙ୍ଗଲରେ ହିଂସ୍ର ଜୀବଙ୍କ ସହ ତାଙ୍କର ମୁହଁାମୁହିଁ ଭେଟ ହୋଇଛି। କିନ୍ତୁ ତାଙ୍କ ଭଲ ପାଇବା ଆଗରେ ସେମାନଙ୍କ ହିଂସ୍ର ସ୍ବଭାବ ଫିକା ପଡିଯାଏ ବୋଲି କହନ୍ତି ମ୍ୟାରି। ୨୦୧୮ରେ କେରଳର ମହାବନ୍ୟା ସମୟରେ ସେ ଜଙ୍ଗଲରେ ଦୀର୍ଘଦିନ ରହି ପ୍ରାଣୀମାନଙ୍କ ଉପରେ ନଜର ରଖିଥିଲେ। ଅନ୍ୟ ସମୟରେ ସେ ୧୫ ଦିନ କି ମାସରେ ଥରେ ଘରକୁ ଆସନ୍ତି। ଘରେ ସ୍ତ୍ରୀ ଓ ତିନୋଟି ପିଲା ଥିଲେ ବି ଜଙ୍ଗଲକୁ ଭଲ ପାଇଥିବା ଏଇ ମଣିଷଟି ଜଙ୍ଗଲରେ ରହିବାକୁ ପସନ୍ଦ କରିଥାନ୍ତି। ସେ ଜଣେ ପରିବେଶ ସଂରକ୍ଷକ ଭାବେ ଏହି ଜଙ୍ଗଲରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରି କେରଳ ମୁଖ୍ୟମନ୍ତ୍ରୀଙ୍କଠାରୁ ଫରେଷ୍ଟ ମେଡାଲ ସହ ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।