ଏଇ ଭାରତରେ

ବିନା ମାଟିରେ ହାଇଡ୍ରୋପୋନିକ ଉପାୟରେ କେବଳ ପାଣିରେ ଚାଷ କରାଯିବା ଜାଣିଛନ୍ତି। କିନ୍ତୁ ଏବେ ତାମିଲନାଡୁର କୃଷି ଇଞ୍ଜିନିୟର ପ୍ରଭୁ ଶଙ୍କର ପବନରେ ହିଁ ଚାଷ କରୁଛନ୍ତି। ଏହା ଜାଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଏହି ପଦ୍ଧତିକୁ କୁହାଯାଉଛି ଏରୋପୋନିକ। ବିନା ମାଟିରେ ପବନରେ ଗଛର ଚେରକୁ ଝୁଲାଇ ଦିଆଯାଇ ଏହି ଚାଷ କରାଯାଉଛି। ଆଦୌ ବର୍ଷା ହେଉ ନ ଥିବା କିମ୍ବା କମ୍‌ ବର୍ଷା ହେଉଥିବା ଅଞ୍ଚଳରେ ଏହିି ପଦ୍ଧତିରେ ଚାଷ କରାଯାଇପାରିବ ବୋଲି କହନ୍ତି ୪୭ ବର୍ଷୀୟ ଶଙ୍କର। ଏଥିରେ କୀଟମାନଙ୍କ ଭୟ ବି ରହୁନି। ପ୍ରଭୁ ୧୦ ହଜାର ବର୍ଗଫୁଟ୍‌ ଫାର୍ମରେ ଟମାଟୋ,ଆଳୁ, ବାଇଗଣ, ବିଟ୍‌, ଗାଜର, ପିଆଜ, ପୋଦିନା ଆଦି ୧୮ ପ୍ରକାର ପରିବା ଚାଷ କରୁଛନ୍ତି। କୋଏମ୍ବାଟୁର୍‌ରେ ରୁହନ୍ତି ପ୍ରଭୁ। ୧୦ ବର୍ଷ ଗବେଷଣା କରିବା ପରେ ସେ ଏହି ପଦ୍ଧତିରେ ଚାଷ କରୁଛନ୍ତି। ପାରମ୍ପରିକ ଉପାୟରେ ଯେତିକି ଅମଳ ହେଉଛି ଏରୋପୋନିକ୍‌ରେ ସେ ୧୫ ଗୁଣ ଅଧିକ ପରିବା ଫଳାଉଛନ୍ତି। ପାରମ୍ପରିକ ଚାଷ ପାଇଁ ଆବଶ୍ୟକ ପାଣିର ମାତ୍ର ୧୦ ପ୍ରତିଶତରେ ଏହି ଚାଷ ହୋଇପାରୁଛି। ଉକ୍ତ ଚାଷକୁ ବ୍ୟାପକ କରିବା ପାଇଁ ତାଙ୍କ ନିଜସ୍ବ କମ୍ପାନୀ ନେଓପୋନିକସ୍‌ ପ୍ରୋଜେକ୍ଟସ୍‌ ଇଣ୍ଡିଆ ଅଧୀନରେ ଜାନୁୟାରୀ ୨୦୧୯ରେ ସେ ‘ନେଓପୋନିକ’ ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ସେ ଚାଷୀମାନଙ୍କୁ ଏରୋପୋନିକ ଫାର୍ମ ନିର୍ମାଣ କରିବାରେ ସହାୟତା କରୁଛନ୍ତି। ଫାର୍ମର ନାମ ରଖିଛନ୍ତି ‘ନେଓ ଫାର୍ମ’। ବ୍ୟବସାୟିକଭିତ୍ତିରେ ଚାଷ କରିବାକୁ ଚାହଁୁଥିବା କୃଷକମାନଙ୍କୁ ଏହି ପଦ୍ଧତି ଢ଼େର ଲାଭ ଦେବ ବୋଲି କହନ୍ତି ଶଙ୍କର। ୧୯୯୮ରେ ସେ ଚାକିରି ଛାଡି ଫାର୍ମ କରିଥିଲେ। ୬ ଜଣିଆ ଟିମ୍‌ ଏଠାରେ କାଯର୍‌ୟ କରିବା ପରେ ଧୀରେ ଧୀରେ ଏହିି ଚାଷରେ ସଫଳତା ପାଇଥିଲେ।